fbpx

ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ: ରସଗୋଲା ଦେଇ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ମନାଇବେ ମହାପ୍ରଭୁ

ପୁରୀ: ଆଜି ଚତୁର୍ଦ୍ଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ନିଳାଦ୍ରୀ ବିଜେରେ ଶ୍ରୀବିଗ୍ରହମାନେ ତିନିରଥ ଉପରୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରକୁ ବିଜେ କରିବେ । ଅପରାହ୍ନ ପ୍ରାୟ ସାଢେ ୪ଟା ବେଳକୁ ଶ୍ରୀଜୀଉଙ୍କର ବାହୁଡା ପହଣ୍ଡି ଅନୁଷ୍ଠିତ ହେବ । ସିଂହଦ୍ୱାର ସମ୍ମୁଖରେ ତିନୋଟି ଯାକ ରଥକୁ ଏବେ କଡା ପୁଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି । ସମ୍ଭାବ୍ୟ ଅଘଟଣକୁ ଏଡାଇବା ଲାଗି ରଥଗୁଡିକ ନିକଟରେ ର୍ୟାପିଡ୍‍ ଆକ୍ସନ୍‍ ଫୋର୍ସର ସଶସ୍ତ୍ର ଯବାନମାନଙ୍କୁ ମୁତୟନ କରାଯାଇଛି ।

ଆଜିର ଦିନଦିକୁ ମଧ୍ୟ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ରଥଯାତ୍ରାର ପରମ୍ପରା ଅନୁସାରେ ଅଭିମାନ କରିଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଖୁଆଇ ମାନଭଂଜନ କରିଥିଲେ । ବହୁ ପୁରାତନ ଏ ପରମ୍ପରା । ଓଡିଶାର ଅଧ୍ୟାତ୍ମ ଜୀବନଧାରା ସହିତହି କାହିଁ କେଉଁକାଳରୁ ଯୋଡି ହୋଇ ରହିଛି ରସଗୋଲା । ତେଣୁ ରସଗୋଲା ଯେ, ଓଡିଶାରେ ଆରମ୍ଭ ହୋଇଥିବା ମିଠା, ଏହା ନିଃ ସନ୍ଦେହ । ୨୦୧୫ ମସିହାରୁ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରିବା ଆରମ୍ଭ ହୋଇଛି । ମୁଖ୍ୟତଃ ରସଗୋଲା ଓଡିଶାର ନା ପଶ୍ଚିମବଙ୍ଗର ବୋଲି ବିବାଦ ଉଠିବା ପରଠାରୁ ଓଡିଶାରେ ନୀଳାଦ୍ରି ବିଜୟ ଦିନଟିକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଓଡିଶା ରସଗୋଲାକୁ ଜି.ଆଇ ଟ୍ୟାଗ ପ୍ରଦାନ ପାଇଁ ୨୦୧୫ ମସିହାରୁ ଉଦ୍ୟମ ଆରମ୍ଭ ହୋଇଛି ।

ମଧ୍ୟାହ୍ନ ଧୂପ ଶେଷ ହେବାପରେ ଗତକାଲି ରାତିରେ ଠାକୁରମାନଙ୍କୁ ତିନିରଥ ଉପରେ ପାରମ୍ପରିକ ରୀତିମତେ ଅଧରପଣା ଭୋଗ କରାଯାଇଥିଲା । ଭୋଗ ଶେଷ ହେବାପରେ ରଥଗୁଡିକରେ ଥିବା ପାଶ୍ୱର୍ଦେବାଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରମାନଙ୍କ ଉଦ୍ଦେଶ୍ୟରେ ପଣାହାଣ୍ଡି ସବୁକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା । ଏହାପରେ ଅନ୍ୟାନ୍ୟ କେତେକ ନୀତି ହେବାପରେ ବଡସିଂହାର ଭୋଗ କରାଯାଇ ଗରୁଡ ଶୟନ ନୀତି ଅନୁଷ୍ଠିତ ହୋଇ ରାତ୍ର ପହୁଡ କରାଯାଇଥିଲା ।

ଆଜି ପୂର୍ବାହ୍ନରେ ତିନିରଥରେ ଠାକୁରମାନଙ୍କର ମଙ୍ଗଳ ଆଳତୀ କରାଯାଇଛି । ଅପରାହ୍ନ ସାଢ ୩ଟା ସୁଦ୍ଧା ରଥଗୁଡିକରେ ଚାରମାଳ ବନ୍ଧାଯାଇ ସିଂହାସନ ମାଜଣା କରାଯିବା ପରେ ପୁଷ୍ପାଞ୍ଜଳି ନୀତି ହୋଇ ପହଣ୍ଡି ଆରମ୍ଭ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ବଡଦେଉଳକୁ ଯିବାପରେ ସେଠାରେ ଲକ୍ଷ୍ମୀ-ନାରାୟଣ କଳି ଅନୁଷ୍ଠିତ ହେବ ଓ ଆସନ୍ତାକାଲି ଠାରୁ ବଡଦେଉଳରେ ଶ୍ରୀଜୀଉମାନଙ୍କୁ ଅନ୍ନ ମହାପ୍ରସାଦ ଭେଗ କରାଯିବ ।

Get real time updates directly on you device, subscribe now.