ନୂଆଦିଲ୍ଲୀ: ବାୟୁସେନାରେ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତୀୟ ବାୟୁସେନା ଅଗ୍ନିବୀରବାୟୁ ୨୦୨୫ରେ ନିଯୁକ୍ତି ପାଇଁ ଏହାର ବିଜ୍ଞପ୍ତି ପ୍ରକାଶ କରିଛି । ଏଥିପାଇଁ ଆସନ୍ତା ବର୍ଷ ଜାନୁଆରୀ ୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଇଚ୍ଛୁକ ପ୍ରାର୍ଥୀ ବାୟୁସେନାର ଅଫିସିଆଲ ୱେବସାଇଟ୍ vayu.agnipath.cdac.inକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ଜାନୁଆରୀ ୨୭ ।
ସେନା ଏବଂ ନୌସେନା ଭଳି ବାୟୁସେନାରେ ବି ଆଗ୍ନିବୀର ୪ ବର୍ଷ ପାଇଁ ନିଯୁକ୍ତ ରହିବେ । ଏହା ପରେ ୨୫% ଅଗ୍ନିବୀରଙ୍କୁ ସେନାରେ ସ୍ଥାୟୀ ଭାବେ ସାମିଲ କରାଯାଇଥାଏ । ଅବଶିଷ୍ଟାଂଶ ୭୫%ଙ୍କୁ ଘରକୁ ପଠାଯାଏ । ଏହା ସହ ଅବସର ପାଣ୍ଠି ବାବଦକୁ ଏକକାଳୀନ ୧୧, ୭୨, ୧୬୦ ଟଙ୍କା ମିଳିଥାଏ । ଏହା ଟିକସ ଛାଡ଼ ଅଟେ ।
IAF ଅଗ୍ନିବୀର ବାୟୁରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ବୟସ ସୀମା
ଏଥିପାଇଁ କେବଳ ଅବିବାହିତ ପୁରୁଷ ଏବଂ ମହିଳା ଆବେଦନ କରିପାରିବେ । ପ୍ରାର୍ଥୀ ଜଣଙ୍କ ୧ ଜାନୁଆରୀ, ୨୦୦୫ରୁ ୧ ଜୁଲାଇ, ୨୦୦୮ ମଧ୍ୟରେ ଜନ୍ମ ଗ୍ରହଣ କରିଥିବେ । ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୧ ବର୍ଷ ହେବା ଉଚିତ । ମହିଳା ପ୍ରାର୍ଥୀ ଏହି ୪ ବର୍ଷ ମଧ୍ୟରେ ଗର୍ଭଧାରଣ କରିବା ପାଇଁ ବାରଣ କରାଯାଇଛି ।
ବିଜ୍ଞାନ ପ୍ରାର୍ଥୀଙ୍କ ପାଇଁ:
ପ୍ରାର୍ଥୀ ଜଣଙ୍କ ପଦାର୍ଥ ବିଜ୍ଞାନ ଏବଂ ଗଣିତ ବିଷୟ ସହ ଦ୍ୱାଦଶ କିମ୍ବା ସମକକ୍ଷ ପରୀକ୍ଷା ଉତ୍ତୀର୍ଣ୍ଣ କରିଥିବା ଉଚିତ । ଦ୍ୱାଦଶ ଶ୍ରେଣୀରେ ମୋଟ୍ ୫୦% ଅଙ୍କ ଏବଂ ଇଂରାଜୀରେ ୫୦% ଅଙ୍କ ରଖିଥିବା ଅନିବାର୍ଯ୍ୟ/ ଇଂଜିନିୟରିଂ(ମେକାନିକାଲ/ଇଲେକ୍ଟ୍ରିକାଲ/ଇଲେକ୍ଟ୍ରୋନିକ୍ସ/ଅଟୋମୋବାଇଲ/କମ୍ପୁ୍ୟଟର ସାଇନ୍ସ/ଇନ୍ସଟ୍ରୁମେଣ୍ଟେସନ୍/ଆଇଟି)ରେ ୩ ବର୍ଷର ଡିପ୍ଲୋମାରେ ୫୦% ମାର୍କ ରଖିଥିବେ । ଏଥିରେ ଇଂରାଜିରେ ମଧ୍ୟ ୫୦% ମାର୍କ ଥିବା ଅନିବାର୍ଯ୍ୟ । ଡିପ୍ଲୋମାରେ ଇଂରାଜୀ ବିଷୟ ନଥିଲେ ୧୦ମ କିମ୍ବା ଦ୍ୱାଦଶରେ ରହିଥିବା ଆବଶ୍ୟକ ।
ଆର୍ଟ୍ସ ଏବଂ କମର୍ସ ପ୍ରାର୍ଥୀଙ୍କ ପାଇଁ:
ଦ୍ୱାଦଶ ଶ୍ରେଣୀରେ ଆର୍ଟ୍ସ କିମ୍ବା କମର୍ସ ଷ୍ଟ୍ରିମରେ ମୋଟ୍ ୫୦% ମାର୍କ ଏବଂ ଇଂରାଜୀରେ ବି ୫୦% ମାର୍କରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ/ ପ୍ରୋଫେସନାଲ ପାଠ୍ୟକ୍ରମରେ(୨ ବର୍ଷ) ଅତିକମରେ ମୋଟ୍ ୫୦% ମାର୍କ ଏବଂ ଇଂରାଜୀରେ ୫୦% ମାର୍କ ରଖିବେ । ଯଦି ଇଂରାଜୀ ବିଷୟ ପ୍ରଫେସନାଲ ପାଠ୍ୟକ୍ରମର ଅଂଶ ନୁହେଁ ତେବେ ୧୦ମ କିମ୍ବା ଦ୍ୱାଦଶ ଶ୍ରେଣୀରେ ରହିଥିବା ଉଚିତ ।