ଚଢା ଦରରେ ବିକ୍ରି ହେଲା ଖାଇବା, ପାଣି ପାଇଁ ହନ୍ତସନ୍ତ

କଟକ,ଓଡ଼ିଶା ଭାସ୍କର:ସୁରକ୍ଷା ଲାଗି ଷ୍ଟାଡିୟମ ଭିତରକୁ ଖାଇବା କିମ୍ବା ପାଣି ବୋତଲ ଛାଡିଲେନି। ଭିତରେ ଯେଉଁ ଖାଦ୍ୟ ପାଣି ବିକ୍ରି ହେଲା ସିଏ ପୁଣି ଦୁଇ/ତିନି ଗୁଣା ଅଧିକା ଚଢା ଦରରେ। ଏଭଳି ସ୍ଥିତିରେ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିବା ଖବର ଆସିଛି ବାରବାଟୀରୁ। ଗତକାଲି ପ୍ରବଳ ଗୁଳୁଗୁଳିରେ ଷ୍ଟାଡିୟମରେ ପିଇବା ପାଣି ପାଇଁ ଦର୍ଶକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। ତେବେ ଷ୍ଟାଡିୟମ ଭିତରେ ନାନା ପ୍ରକାରେ ଦର୍ଶକଙ୍କୁ ଲୁଟୁଥିବାର ଦେଖିବାକୁ ମିଳିଥିଲା। ଭିତରେ ବିକ୍ରି ହେଉଥିବା ଖାଦ୍ୟ ଚଢା ଦରରେ ବିକ୍ରି ହୋଇଥିଲା। ଭିତରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଉପରେ ପ୍ରସ୍ତୁତି ତାରିଖ କି ପ୍ରସ୍ତୁତକାରୀ କଂପାନିର ନାଁ ବି ନଥିଲା। ଅନ୍ତର୍ଜାତୀୟ ମ୍ୟାଚରେ ବାରବାଟୀରେ ଏଭଳି ଖାଦ୍ୟ, ପାନୀୟ ବ୍ୟବସାୟ ପଛରେ କାହାର ହାତ ରହିଛି, ତାହାକୁ ନେଇ ଏବେ ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଟିକେଟ୍ ଖୁଲମଖୁଲା ବ୍ଲାକ୍ ହେବାର ଖବର ଆସିଥିଲା ଏବେ ଖାଦ୍ୟ ସାମଗ୍ରୀ ବି ଷ୍ଟାଡିୟମ ଭିତରେ ବ୍ଲାକ୍ ହେଲା।

କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ପାଣି ଟାଙ୍କିର ବ୍ୟବସ୍ଥା କରାଯାଇଥିଲା। ପାଣି ଗରମ ହୋଇଥିବାରୁ ଏହାକୁ ଦର୍ଶକମାନେ ପିଇପାରିନଥିଲେ। ଯେଉଁ ଗେଟ ନିକଟରେ ଲମ୍ବା ଧାଡି ଲାଗିରହିଥିଲା, ସେହି ସ୍ଥାନରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇ ବହୁ ଦୂରରେ ଟ୍ୟାଙ୍କରକୁ ରଖାଯାଇଥିଲା ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଷ୍ଟାଡିୟମ ପରିସରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା।

ଷ୍ଟାଡ଼ିୟମକୁ ପ୍ରବେଶ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିଲା। କ୍ରିକେଟପ୍ରେମୀ ଅପରାହ୍ନ ୧ଟା୩୦ରୁ ବ୍ୟାରିକେଡରେ ଲାଇନ୍ ଲଗାଇ ଦେଇଥିଲେ। ଧାଡିରେ ଛିଡ଼ା ହୋଇ ଖାଇବା ପିଇବା କରିଥିଲେ। ମୁଣ୍ଡଫଟା ଖରରେ ସିଜିଥିବାବେଳେ ରାତିରେ ମ୍ୟାଚର ମଜା ନେଇଥିଲେ। ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପଡ଼ିଆରେ ପହଞ୍ଚିବା ପରେ ଦର୍ଶକମାନେ କରତାଳି ଦେଇ ଉତ୍ସାହିତ କରିଥିଲେ। ହଜାରହଜାର ଦର୍ଶକଙ୍କ କରତାଳିରେ ଷ୍ଟାଡ଼ିୟମ ଫାଟି ପଡ଼ିଥିଲା।

ସେହିଭଳି ଓଡ଼ିଶା କ୍ରିକେଟ ଆସୋସିଏସନ ଓ କମିଶନରେଟ ପୁଲିସ ପକ୍ଷରୁ ଦର୍ଶକମାନଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଥିଲା। ତେବେ ଷ୍ଟାଡ଼ିୟମ ପ୍ରବେଶ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ଏଥିପ୍ରତି କାହାରି ଖାତିର ନଥିଲା। ପ୍ରବେଶ ପଥରେ କୌଣସି ମାସ୍କ ଚେକ କରା ଯାଇନଥିଲା। ହଜାରହାଜର ଦର୍ଶକ ବିନା ମାସରେ ପ୍ରବେଶ କରିଥିଲେ। ଷ୍ଟାଡ଼ିୟମ ଗ୍ୟାଲେରୀଠାରୁ ଆରମ୍ଭ କରି ଭିଗିଆଇପି ବଡ଼ ପର୍ଯ୍ୟନ୍ତ କାହାରି ମୁହଁରେ ମାସ୍କ ନଥିଲା।