fbpx

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ: କଠୋର ହେବ ନିୟମ, ଶ୍ରମ ବିଭାଗର ଚେତାବନୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ତରଫରୁ ନିୟମ ପ୍ରଣୟନ କରାଯାଇଥିଲା । ସେଥିପାଇଁ ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖାଯାଇଥିଲା । ପ୍ରାଦେଶିକ ଭାଷାର ସମ୍ମାନ ଓ ଗୌରବକୁ ବଜାୟ ରଖିବା ପାଇଁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବାକୁ କୁହାଯାଇଥିଲା ।

ଗତ ୨୦୧୪ ମାର୍ଚ୍ଚ ୧୧ରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ମିଳିଥିଲେ ହେଁ ଅନେକ ଶିକ୍ଷାନୁଷ୍ଠାନରେ ଆଜି ବି ଓଡ଼ିଆରେ ନାମଫଳକ ଲାଗି ନଥିବା ଦେଖାଯାଉଛି । ନିୟମ ହୋଇଥିଲେ ହେଁ ଏହାକୁ ବହୁ ଶିକ୍ଷାନୁଷ୍ଠାନ ମାନୁନଥିବା ଦେଖାଯାଉଛି । ଏପରିକି କିଛି ଶିକ୍ଷାନୁଷ୍ଠାନ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇଛି । କେବଳ ନାମଫଳକ ନୁହେଁ ସଭା ସମିତିରେ ମଧ୍ୟ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳୁଛି ।

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ନେଇ ବାରମ୍ବାର ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ହେଁ ତାହାକୁ କେହି କାର୍ଯ୍ୟକାରୀ କରୁନଥିବା ଦେଖାଯାଉଛି । ଏଣିକି ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରମ ବିଭାଗ ପକ୍ଷରୁ ଗତ ମାସରେ କୁହାଯାଇଥିଲା । ତେବେ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ, ହୋଟେଲମାନଙ୍କରେ ଓଡ଼ିଆ ନାମଫଳକ ନ ଲଗାଇଲେ ଜରିମାନା ଲାଗୁ କରାଯିବ ବୋଲି କୋରାପୁଟ ଜିଲ୍ଲା ଜୟପୁର ଚାମ୍ପର ଅଫ୍ କମର୍ସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରଥମ ଥର ପାଇଁ ୫ ହଜାର ଓ ଦ୍ୱିତୀୟ ଥର ପାଇଁ ୧୦ ହଜାର ଜରିମାନା ଆଦାୟ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.