fbpx

ରୁଚିକା ଆତ୍ମହତ୍ୟା ମାମଲାରେ ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ, ୧୯ ରେ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇପାରୁନାହଁ । ମାମଲା ଏବେବି ତଦନ୍ତ ଘେରରେ ରହିଛି । ଗତକାଲି ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ରାଗିଂ ହୋଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ ।

ସପେଟେ ଏହି ମାମଲାରେ ରୁଚିକାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦାବିରେ ଲଗାତାର ବିରୋଧ ପ୍ରଦର୍ଶନ କରିଆସୁଥିବା ନବ ନିର୍ମାଣ ସଂଗଠନ ତରଫରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ୧୯ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ସଂଗଠନ । ଏହାପୂର୍ବରୁ ୧୭ ତାରିଖରେ କଟକ ଡିଜିପି ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ମଧ୍ୟ ଦେବ ସଂଗଠନ । ବନ୍ଦରେ ଛାତ୍ରଛାତ୍ରୀ ସାମିଲ୍ ପାଇଁ ୧୪ ଓ ୧୫ ରେ କଲେଜ ବୁଲିବେ ରୁଚିକାଙ୍କ ମା’ । ଏନେଇ ସୂଚନା ଦେଇଛନ୍ତି ସଂଗଠନ ମୁଖ୍ୟ ତଥା ଚାଷୀନେତା ଅକ୍ଷୟ କୁମାର ।

ସୂଚନାଯୋଗ୍ୟ, ଗତ ୨ ତାରିଖରେ ବିଜେବି କଲେଜର କାରୁବାକୀ ହଷ୍ଟେଲର ୨୦୧ ନମ୍ବର ରୁମରୁ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ରୁଚିକା ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଇତିହାସ ସ୍ନାତକ ଶ୍ରେଣୀର ଛାତ୍ରୀ । ତାଙ୍କ ରୁମ୍ ରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ମିଳିଥିଲା । ଏଥିରେ ତାଙ୍କର ମୃତ୍ୟୁ ପାଇଁ ୩ ସିନିୟର ଦାୟୀ ବୋଲି ଉଲ୍ଲେଖ ରହିଥିଲା । ତେବେ ଏହି ୩ ସିନିୟର କିଏ, ତାହା ଲେଖାନଥିଲା ।

ଯାହାପରେ ପରିବାର ଲୋକ ନ୍ୟାୟ ଦାବିରେ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ । କିନ୍ତୁ ପରେ ସେମାନଙ୍କୁ ସେଠାରେ ପୋଲିସ ବଳପୂର୍ବକ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା ।

Get real time updates directly on you device, subscribe now.