ପାଣିକୋଇଲି ସୁନା ଦୋକାନ ଲୁଟରେ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା; ପରିବାରଙ୍କୁ ଦୁଇ ଲକ୍ଷ ଲେଖା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର– ଯାଜପୁର ପାଣିକୋଇଲି ସୁନା ଦୋକାନ ଲୁଟ ଓ ହତ୍ୟା ଘଟଣାକୁ ନେଇ ସମ୍ବେଦନଶୀଳ ରାଜ୍ୟ ସରକାର । ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରବିବାର ଦିନ ମୁଖ୍ୟମନ୍ତ୍ରୀ ପାଣିକୋଇଲି ନିକଟରେ ସୁନା ଦୋକାନ ଲୁଟ ଉଦ୍ୟମ ବେଳେ ଲୁଟେରାଙ୍କୁ ଧରିବାକୁ ଯାଇ ସେମାନଙ୍କ ଗୁଳିମାଡରେ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ପରିବାରଙ୍କୁ ଦୁଇ ଲକ୍ଷ ଲେଖା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ବ୍ୟତୀତ, ଆହତଙ୍କ ଚିକିତ୍ସାର ଭାର ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ମୋହନ ମାଝୀ ।
କେମିତି ଘଟିଥିଲା ଘଟଣା- ଗତକାଲି ଯାଜପୁର ପାଣିକୋଇଲି ଛକରେ ଦିନ ଦିପହରେ ହୋଇଥିଲା ଫାୟାରିଙ୍ଗ । ଲୁଟ ପାଇଁ ଉଦ୍ୟମ କରି ପଳାଉଥିବ ୨ ଜଣଙ୍କୁ ଧରିବାକୁ ଗୋଡାଇବା ବେଳେ ଦୁର୍ବୃତ୍ତ କରିଥିଲେ ଗୁଳିମାଡ । ଏହି ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ ।
ସୁନା ଦୋକାନରେ ପଶି ଲୁଟ କରିବା ପାଇଁ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ । ଏହି ସମୟରେ ଦୋକାନର ୨ ଜଣ କର୍ମଚାରୀ ବାଧା ଦେବାରୁ ତାଙ୍କ ଉପରକୁ ଦୁର୍ବୃତ୍ତ ଗୁଳି ଚାଳନା କରିଥିଲେ । ଫଳରେ ଜଣେ କର୍ମଚାରୀଙ୍କ ପେଟରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ଅଣ୍ଟାରେ ଗୁଳି ବାଜିଥିଲା ।
ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଲୁଟ ଉଦ୍ୟମ କରିଥିଲେ ତେବେ ଉଭୟ ଦୁର୍ବୃତ୍ତଙ୍କୁ ସ୍ଥାନୀଯ ଲୋକ ଧରିବା ସହ ନିର୍ଦ୍ଧୁମ ମାଡ଼ ମାରିଥିଲେ ।
ସ୍ଥାନୀୟ ଲୋକଙ୍କ ମାଡ଼ରେ ଦୁର୍ବୃତ୍ତ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି ।