fbpx

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ, ଶିଳାପୂଜନ ଯଜ୍ଞରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ପୁରୀ (ଭାସ୍କର ନ୍ୟୁଜ୍): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାପୂଜନ ଯଜ୍ଞ ସୋମବାରଠୁ ଆରମ୍ଭ ହୋଇଥିବା ବେଳେ ଆଜି ପୂର୍ଣ୍ଣାହୁତି ଦେବା ପରେ ଶିଳାନ୍ୟାସ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାପୂଜନ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।  ସହରରେ ୨୩ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ୩ ଜଣ ଅତିରିକ୍ତ ଏସ୍‌ପି, ୧୦ ଜଣ ଡିଏସ୍‌ପି, ୩୧ ଇନ୍ସପେକ୍ଟର, ୧୦୩ ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସହ ୩ଶହ ହୋମଗାର୍ଡ ମୁତୟନ କରାଯାଇଛି ।

ଶିଳାପୂଜନ ଯଜ୍ଞର ଅନ୍ତିମ ପର୍ବରେ ସକାଳ ୭ଟାରୁ ସାଢ଼େ ୯ଟା ମଧ୍ୟରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଅଗ୍ନିପୂଜା ସମ୍ପନ୍ନ କରାଯିବ । ଏହା ପରେ ଯଜ୍ଞଶିଳା ଶିଳାନ୍ୟାସ ପର୍ବର ମୁଖ୍ୟ ଆକର୍ଷଣ ଶିଳାପୂଜନ ଏବଂ ଶିଳା ଗର୍ତ୍ତ ସଂସ୍କାର ବିଧି ପାଳନ ହେବ । ସକାଳ ୧୦ଟା ୧୫ ମିନିଟରେ ଶିଳା ସ୍ଥାପନ (ଶିଳାନ୍ୟାସ) ଓ ପୁଷ୍ପାଞ୍ଜଳି ବିଧି ସମ୍ପନ୍ନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧି ପାଳନରେ ଉପସ୍ଥିତ ରହିବେ । ଯଜ୍ଞାନୁଷ୍ଠାନର ଅନ୍ତିମ ପର୍ବ ସକାଳ ୧୦ଟା ୪୫ ମିନିଟରୁ ୧୧ଟା ମଧ୍ୟରେ ଶେଷ କରାଯିବ । ଏହି ସମୟ ସୀମା ମଧ୍ୟରେ ପୂର୍ଣ୍ଣାହୁତି ପର୍ବରେ ଆଳତି ଓ ପୁଷ୍ପାଞ୍ଜଳି ବିଧି ପୂର୍ବକ କରାଯିବ । ଯଜ୍ଞାନୁଷ୍ଠାନର ଅନ୍ତିମ ପର୍ବ ପୂର୍ବାହ୍ନ ସାଢ଼େ ଏଗାରଟା ସୁଦ୍ଧା ସମ୍ପନ୍ନ କରାଯିବ । ଅନ୍ତିମ ପର୍ଯ୍ୟାୟରେ ଯଜ୍ଞାନୁଷ୍ଠାନର ପ୍ରସ୍ଥାନ, ମାଜଣା, ପୂର୍ଣ୍ଣ ପାତ୍ର ଦାନ, ଦଶ ବିଧି ଦାନ, ଦେବତା ବିସର୍ଜନ, ଅଗ୍ନି ଶାନ୍ତିକରଣ, ପୁଣ୍ୟ ବଚନମ୍‌, ଆଶୀର୍ବାଦ ଗ୍ରହଣ ଆଦି ବିଧି ପରେ ଯଜ୍ଞାନୁଷ୍ଠାନ ଶାନ୍ତ ପଡ଼ିବ ।

ସୂଚନା ମୁତାବିକ, ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟକରଣ କରାଯିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ରହିବ । ଚତୁଃପାଶ୍ୱର୍ରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯିବ । ରଥଯାତ୍ରା ଏବଂ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ, ଭକ୍ତଙ୍କ ସାମଗ୍ରୀ ରଖିବା ସକାଶେ ୫୦୦ ବର୍ଗମିଟର ପରିମିତ କ୍ଷେତ୍ରରେ ଗୃହ ନିର୍ମାଣ ହେବ । ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ କ୍ଷୁଦ୍ର ସାମଗ୍ରୀ ରଖିବା ଗୃହ ଓ ଭକ୍ତଙ୍କ ପାଇଁ ସମସ୍ତ ଦ୍ୱାରରେ ସୂଚନା ଏବଂ ଦାନ କେନ୍ଦ୍ର ରହିବ । ସେବାୟତ ତଥା ପୁରୁଷ ଏବଂ ମହିଳା ଭକ୍ତଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟର ବ୍ୟବସ୍ଥା , ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ଏବଂ ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏଟିଏମ୍‌ ବ୍ୟବସ୍ଥା ଉପଲବ୍ଧ ହେବ । ଏହି ପ୍ରକଳ୍ପରେ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ ସହ ଏକାସାଙ୍ଗରେ ୬୦୦୦ ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ ରହିବ । ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ଯୋଜନା ରହିଛି ।

Get real time updates directly on you device, subscribe now.