fbpx

ରାଜ୍ୟରେ ପ୍ରତିଷ୍ଠା ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରତିଷ୍ଠା ହୋଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟ ଅଧିନକୁ ୧୫୦ରୁ ଅଧିକ କଲେଜ ଆସିବେ । ପ୍ରତ୍ୟେକ କଲେଜ ଓ ପାଠ୍ୟକ୍ରମ ପାଇଁ ଏକକ ଶିକ୍ଷାନୀତି, ପରୀକ୍ଷା କାର୍ଯ୍ୟକାରୀ ହେବ । ଏଥିସହିତ ମେଡିକାଲ ଓ ପାରା ମେଡିକାଲ କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଗବେଷଣା କରିବ । ସମସ୍ତ ଏଲୋପାଥିକ, ହୋମିଓପାଥିକ, ଆୟୁର୍ବେଦିକ ଡିଗ୍ରୀ ଓ ପିଜି କୋର୍ସକୁ ଏହି ବିଶ୍ୱବିଦ୍ୟାଳୟ ପରଚାଳନା କରିବ ବୋଲି କୁହାଯାଇଛି ।

ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପ୍ରତିଷ୍ଠା କରିଛନ୍ତି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ନିକଟରେ ଥିବା କାର୍ଯ୍ୟାଳୟର ପ୍ରଥମ ମହଲାରେ ଏହାର ମରାମତି କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ଦ୍ୱିତୀୟ ମହଲା ମରାମତି କାର୍ଯ୍ୟ ସମାପ୍ତ ହେବ । ତା’ପରେ ସେଠାରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ କରାଯିବ । ଗତ ୨୦୨୧ ମସିହା ଅକ୍ଟୋବର ମାସରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପାଇଁ ବିଧାନସଭାରେ ପ୍ରସ୍ତାବ ଆଗତ ହୋଇଥିଲା ।

ତେବେ ଏହି ବିଶ୍ୱବିଦ୍ୟାଳୟର ସ୍ଥାୟୀ ପ୍ରଶାସନିକ କାର୍ୟ୍ୟାଳୟ ପାଇଁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲ ନିକଟରେ ୫ ଏକର ଜମି ପ୍ରଦାନ କରିଛନ୍ତି । ସୁନାମଧନ୍ୟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଗତ ୨୦୨୨ ଫେବୃଆରୀରେ ଏହାର ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୫ ତାରିଖରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡକୋଟାକୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଲୋକର୍ପଣ କରିଥିଲେ ।

Get real time updates directly on you device, subscribe now.