fbpx

ଆଜି ଓଡ଼ିଶା ଅନ୍‌ଲକ୍‌ ଘୋଷଣା, “ସ୍ଥିତି ଦେଖି ନିଷ୍ପତ୍ତି ନେବେ ସରକାର’: ୨୮ ଜିଲ୍ଲାରେ ତାଲା ଖୋଲିବା ନେଇ ଚର୍ଚ୍ଚା, ୨ଟି ଜିଲ୍ଲା ପାଇଁ ଆସି ପାରେ ନୂଆ ନିୟମ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ରାତି ପାହିଲେ ସରିବ ଆଂଶିକ ଲକ୍‌ଡାଉନ୍‌ ଅବଧରାତି ପାହିଲେ ସରିବ ଆଂଶିକ ଲକ୍‌ଡାଉନ୍‌ ଅବଧି। ଶୁକ୍ରବାର ସକାଳ ୬ଟାରେ ସରିବ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ଆଂଶିକ ଲକ୍‌ଡାଉନ୍‌ ଅବଧି । ରାଜ୍ୟରେ କରୋନା ସଂକ୍ରମଣର ହାର କମି ଚାଲିଥିବା ବେଳେ ଶୁକ୍ରବାରଠାରୁ ରାଜ୍ୟ କଟକଣାମୁକ୍ତ ହେବ କି ନାହିଁ ତାହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଅନ୍‌ଲକ୍‌ ନା କାଟାଗୋରୀ ଏ, ବି ଫର୍ମୁଲାରେ ପୁଣି ଜାରି ହେବ କଟକଣା ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଜି ଏନେଇ ଘୋଷଣା କରିପାରନ୍ତି ସରକାର। ତେବେ କଣ ରୂପରେଖ ରହିବ ତାକୁ ନେଇ ଚାଲିଛି ତର୍ଜମା।

ଶୁକ୍ରବାର ସକାଳୁ ଆଂଶିକ ଲକ୍‌ଡାଉନ୍‌ ଅବଧି ଶେଷ ହେଉଥିବାରୁ ଗୁରୁବାର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକଭାବେ ଘୋଷଣା କରାଯିବ । ରାଜ୍ୟରେ ଦୈନିକସଂକ୍ରମଣ କମୁଥିବା ବେଳେ ଲକଡାଉନ୍‌ କୋହଳ ହେବା ନେଇ ସାଧାରଣରେ ଆଶା ପ୍ରକାଶ ପାଇଛି । ତେବେ ଉପକୂଳ ଜିଲ୍ଲା ବିଶେଷକରି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁଠୁ ଅଧିକ ରହୁଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଦୁଇ ଜିଲ୍ଲା । ଏହି ଦୁଇ ଜିଲ୍ଲାକୁ ବାଦ୍‌ ଦେଇ ବାକି ୨୮ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଉଠାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇଟି ଜିଲ୍ଲାରେ ଲକଡାଉନର ରୂପରେଖ କ’ଣ ରହିବ ତାକୁ ନେଇ ଏବେ ତର୍ଜମା ଚାଲିଛି।

ଏ ନେଇ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ କମୁଛି, ମାତ୍ର ସ୍ଥିତି ଉପରେ ନଜର ରଖୁଛୁ । ପଡୋଶୀ ଛତିଶଗଡ଼ରେ ସଂକ୍ରମଣ କିଛିଟା ବଢ଼ିଛି । ତେଣୁ ନୂଆପଡ଼ା ଉପରେ ନଜର ରଖିଛୁ । ଆମକୁ ସଜାଗ ରହିବାକୁ ପଡିବ । ରାଜ୍ୟ ସରକାର ସ୍ଥିତି ଦେଖି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ସେହିପରି ଡିଏମ୍‌ଇଟିର ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ବର୍ତ୍ତମାନ ବ୍ରିଟେନ, ରୁଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ ତୃତୀୟ ଲହର ଚାଲିଛି । ମାତ୍ର ଭାରତରେ ଏଯାଏ ତୃତୀୟ ଲହର ଆସିନି । ତୃତୀୟ ଓ ଚତୁର୍ଥ ଲହର ଆସିପାରେ । ହେଲେ ବର୍ତ୍ତମାନ ଓଡ଼ିଶାରେ ସଂକ୍ରମଣ ତଳମୁହାଁ ଅଛି । ୧୬ ପରେ ପରିସ୍ଥିତି ଦେଖି ଅନ୍‌ଲକ୍‌ କରାଯିବ ବୋଲି ସେ କହିଛନ୍ତି । ସାମଗ୍ରିକ ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି କଟକ, ଖୋର୍ଦ୍ଧା ଓ ପୁରୀ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍‌ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ । ତେଣୁ ଅନ୍‌ଲକ୍‌ ପ୍ରକ୍ରିୟାକୁ ଗଲା ବେଳେ ଏହି ୨ ସହର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇପାରେ ।

ଅନ୍ୟପକ୍ଷରେ, ଜୁଲାଇ ୧୬ ପରେ ବି ସାରା ରାଜ୍ୟରେ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସମ୍ଭାବନା ରହିଛି । ସେହିରି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଭାସମିତିକୁ ଏବେ ଅନୁମତି ଦିଆଯାଇ ନପାରେ । ତେବେ ମଲ୍‌, ପାର୍ଲର, ସ୍ପା, ସାଲୁନ୍‌, ଜିମ୍‌, ସୁଇମିଂ ପୁଲ୍‌ ଓ ସବୁ ଜିଲ୍ଲାରେ ବସ୍‌ ଚଳାଚଳକୁ ଗାଇଡ୍‌ଲାଇନ୍‌ ସହ ଖୋଲିବାକୁ ଅନୁମତି ମିଳିପାରେ ।

Get real time updates directly on you device, subscribe now.