fbpx

ଟୋକିଓ ଅଲିମ୍ପିକ ୨୦୨୦: ଜାଣନ୍ତୁ ପଞ୍ଚମ ଦିନରେ କେଉଁଥିରେ ଜିତିଲା ଏବଂ କେଉଁଥିରେ ହାରିଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ସୁଟର ଟୋକିଓ ଅଲିମ୍ପିକର ପଞ୍ଚମ ଦିନରେ  ବିଜୟରୁ ଅଭିଯାନ ଆରମ୍ଭ କରିଥିଲେ। ହେଲେ ଏହି ଖୁସି ବେଶି ସମୟ ରହିନଥିଲା। ଭାରତର ଷ୍ଟାର ସୁଟର ମନୁ ଭାକର ଓ ସୌରଭ ଚୌଧୁରୀଙ୍କ ଯୋଡି ମିଶ୍ରିତ ବର୍ଗରେ ୧୦ ମିଟର ଏୟାର ପିସ୍ତଲ ଯୋଗ୍ୟତାପର୍ଯ୍ୟାୟ ମେଡାଲ ରାଉଣ୍ଡରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି। ଅନ୍ୟପଟେ ଭାରତୀୟ ପୁରୁଷ ହକି ଦଳ ସ୍ପେନକୁ ୩-୦ରେ ହରାଇ ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଞ୍ଚମ ଦିନରେ ଅନେକ ଇଭେଣ୍ଟରେ ଭାରତର ପ୍ରତିଯୋଗିତା ଜାରି ରହିଛି।

ବକ୍ସର ଲଭଲିନାଙ୍କ ଧମାକାଦାର ଆରମ୍ଭ

ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ(୬୯ କିଲୋଗ୍ରାମ) ଜର୍ମାନୀର ନାଦିନେ ଏପତଜେକୁ ହରାଇ କ୍ଵାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ଲଭଲିନା ଜର୍ମାନୀର ମୁଷ୍ଟିଯୋଦ୍ଧାଙ୍କୁ ପ୍ରତିଦ୍ଵନ୍ଦ୍ଵିତାମୂଳକ ମ୍ୟାଚରେ ୩-୨ରେ ହରାଇଥିଲା। ଲଭଲିନା ଅନ୍ତିମ-୧୬ ରାଉଣ୍ଡ ମୁକାବିଲାରେ ଜର୍ମାନୀର ମୁଷ୍ଟିଯୋଦ୍ଧାକୁ ୩-୨ରେ ହରାଇଥିଲେ।

ନକଆଉଟରୁ ବାହାରିଲେ ବ୍ୟାଡମିଣ୍ଟନରେ ସାତ୍ଵିକ ଓ ଚିରାଗ

ସାତ୍ଵିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟିଙ୍କ ଯୋଡି ବ୍ୟାଡମିଣ୍ଟନ ପୁରୁଷ ଯୁଗଳ ଗ୍ରୁପ ଏରେ ତୃତୀୟ ମ୍ୟାଚରେ ବ୍ରିଟେନ ଯ ଯୋଡିଙ୍କୁ ପରାସ୍ତ କରିଥିଲେ। ଏହା ପରେ ମଧ୍ୟ ନକଆଉଟରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। ଦୁନିଆର ଦଶମ ନମ୍ବର ଯୋଡି ସାତ୍ଵିକ ଓ ଚିରାଗ ଦୁନିଆର ୧୮ତମ ଯୋଡି ଲେନ ଓ ଭେଣ୍ଡିଙ୍କ ଯୋଡିକୁ ୪୪ ମିନିଟରେ ୨୧-୧୭, ୨୧-୧୯ରେ ହରାଇ ଗ୍ରୁପରେ ଦ୍ଵିତୀୟ ବିଜୟ ହାସଲ କରିଥିଲେ। ହେଲେ ଚୀନ ଯୋଡି ଇଣ୍ଡୋନେସିଆର ଯୋଡିକୁ ହରାଇବାରୁ ସାତ୍ଵିକ ଓ ଚିରାଗ ଯୋଡି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି।

ଟେବୁଲ ଟେନିସରେ ଭାରତର ଚ୍ୟାଲେଞ୍ଜ ଶେଷ

ଅଚନ୍ତ ଶରତ କମଲ ତୃତୀୟ ରାଉଣ୍ଡରେ ଚୀନର ଅଲିମ୍ପିକ ଓ ବିଶ୍ଵ ଚାମ୍ପିଅନ ମା ଲାଙ୍ଗଙ୍କଠୁ ହାରିବା ପରେ ଟୋକିଓ ଅଲିମ୍ପିକରେ ଭାରତର ଟେବୁଲ ଟେନିସ ପ୍ରତିଯୋଗିତାରେ ଅଭିଯାନ ଶେଷ ହୋଇଛି। ଶରତ ନିଜର ପ୍ରତିଦ୍ଵନ୍ଦ୍ଵୀଙ୍କଠୁ ୭-୧୧, ୧୧-୮, ୧୧-୧୩, ୪-୧୧, ୪-୧୧ରେ ପରାଜୟର ମୁହଁ ଦେଖିବାକୁ ପଡିଛି। ସେହି ପରି ଶରତ ଓ ମନିକା ବାତ୍ରା ମିଶ୍ରିତ ଯୁଗଳ ବର୍ଗରେ ପ୍ରଥମରୁ ହିଁ ଅଲିମ୍ପିକରୁ ବାହାରି ସାରିଛନ୍ତି। ମନିକା ମଧ୍ୟ ମହିଳା ଏକକ ବର୍ଗରେ ପରାଜିତ ହୋଇ ସାରିଛନ୍ତି।

ପୁରୁଷ ହକି ଦଳର କମାଲ

ନିଜର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆଠୁ ୭-୦ରେ ହାରିବା ପରେ ଭାରତୀୟ ପୁରୁଷ ହକି ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ଦଳ ସ୍ପେନକୁ ୩-୦ରେ ହରାଇ ପୁଲ୍ ଏର ପଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନରେ ରହିଛି। ଭାରତ ପକ୍ଷରୁ ରୁପିନ୍ଦର ପାଲ ସିଂହ(୧୫ତମ ଓ ୫୧ତମ) ମିନିଟରେ ଏବଂ ସିମରନଜିତ ସିଂହ(୧୪ତମ ମିନିଟ)ରେ ଗୋଲ୍ ଦେଇଥିଲେ। ଭାରତୀୟ ଦଳ ୩ଟି ମ୍ୟାଚରୁ ୨ଟିରେ ଜିତି ୬ ପଏଣ୍ଟ ହାସଲ କରିଛି। ଶୀର୍ଷ ୪ରେ ରହିବା ଦଳ କ୍ଵାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ।

Get real time updates directly on you device, subscribe now.