ଓମଫେଡ଼ ପ୍ଲାଣ୍ଟରେ ଲାଗିବ CCTV, ବଜାରରେ ଖୁବଶୀଘ୍ର ଆସିବ OMFED ପାଣି ଏବଂ ଚକୋଲେଟ୍

ଭୁବନେଶ୍ୱର: ଓମଫେଡ଼ରେ କ୍ୱାଲିଟି ଓ କ୍ବାଣ୍ଟିଟି ପାଇଁ ପ୍ଲାଣ୍ଟରେ ସିସିଟିଭି ଲାଗିବ। ଓମଫେଡ଼ ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ୱରରେ ନୂଆ ଡାଏରୀ ପ୍ଲାଣ୍ଟ ଖୋଲିବ। ଖୁବଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି ଓମ୍ଫେଡର ପାଣି ଏବଂ ଚକଲେଟ। ଓମଫେଡ଼ ପାର୍ଲର ପଂଚାୟତ ଗୁଡିକରେ ଖୋଲିବ। ଓମଫେଡ଼ ସମୀକ୍ଷା ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଓମଫେଡ ହେଉଛି ଓଡ଼ିଶାର ଅସ୍ମିତା। ଆଗାମୀ ଦିନରେ ଓମ୍ଫେଡକୁ ସୃଦୁଢ଼ କରିବା ପାଈଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ। କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ। ଏବେ ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଛି। ପର୍ଯ୍ୟାୟ କ୍ରମେ ଆଉ ଖୋଲିବ। ସେହିପରି ଓମଫେଡ଼ର ବକେୟା କମୁଛି । ୨ କୋଟି ବକେୟା ଥିବା ବେଳେ 82 ଲକ୍ଷ ଆଦାୟ ହୋଇଛି । ୭ ଦିନ ଭିତରେ ନ ଦେଲେ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଶ୍ରୀମନ୍ଦିରକୁ ଦୈନିକ ୪ ଟନ ଘିଅ ଯୋଗାଉଛି ଓମଫେଡ଼। ଆଗକୁ ରିହାତି ଦରରେ ଯୋଗାଇବାକୁ ଯୋଜନା କରାଯାଉଛି ।

ଅନ୍ୟପଟେ ଦୁଗ୍ଧ ଚାଷୀଙ୍କ ପାଈଁ ଖୁସି ଖବର। ଖୁବଶୀଘ୍ର ଦୁଗ୍ଧ ଚାଷୀଙ୍କ ପାଈଁ ଡିବିଟି ଲାଗୁ କରିବ ଓମଫେଡ଼। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବି ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ଦୁଗ୍ଧ ବାବଦ ଟଙ୍କା। ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଧାସଳଖ ପେମେଣ୍ଟ। ତୁରନ୍ତ ତାଙ୍କର ପ୍ରାପ୍ୟ ପାଇବେ ଚାଷୀ। ଆଜି ଓମଫେଡ଼ ସମୀକ୍ଷା ବୈଠକରେ ଶୀଘ୍ର ଡିବିଟି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।