fbpx

ବୈବାହିକ ଦୁଷ୍କର୍ମ ଅପରାଧ କି? ଶୁଣାଣି ବେଳେ ଦୁଇ ବିଚାରପତିଙ୍କ ଭିନ୍ନ ଭିନ୍ନ ରାୟ, ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ

ନୂଆଦିଲ୍ଲୀ : ମେରିଟାଲ ରେପ୍‌ ଅର୍ଥାତ ବୈବାହିକ ଦୁଷ୍କର୍ମକୁ ନେଇ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ନିଷ୍ପତ୍ତି ଶୁଣାଣି ସମୟରେ ଦୁଇ ବିଚାରପତିଙ୍କ ରାୟ କିନ୍ତୁ ଥିଲା ପୃଥକ । ଜଷ୍ଟିସ୍‌ ଶକଧର କହିଥିଲେ କି ବୈବାହିକ ଦୁଷ୍କର୍ମ ଆଇପିସିର ଧାରା ୩୭୫ ଓ ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ଅଟେ । ତେଣୁ ପତ୍ନୀ ସହ ଜବରଦସ୍ତ ଶାରୀରିକ ସଂପର୍କ ରଖିବା ଅପରାଧରେ ସ୍ୱାମୀକୁ ଦଣ୍ଡ ମିଳିବା ଉଚିତ୍‌ । ଅନ୍ୟପକ୍ଷରେ ଜଷ୍ଟିସ୍‌ ହରିଶଙ୍କରଙ୍କ ମତ ଥିଲା କି ବୈବାହିକ ଦୁଷ୍କର୍ମ କୌଣସି ଆଇନ୍‌ର ଉଲ୍ଲଂଘନ ଶ୍ରେଣୀଭୁକ୍ତ ନୁହେଁ । ସେ ଏହି ମାମଲା ଦାୟର କରିଥିବା ଆବେଦନକାରୀଙ୍କୁ ଏ ନେଇ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେବାକୁ କହିଛନ୍ତି ।

ସୂଚନାଯୋଗ୍ୟ କି ୨୦୧୫ରେ ଆର୍‌ଆଇଟି ଫାଉଣ୍ଡେସନ, ଅଲ୍‌ଇଣ୍ଡିଆ ଡେମୋକ୍ରାଟିକ୍‌ ୱିମେନ୍ସ ଆସୋସିଏସନ୍‌ ଓ ଦୁଇଜଣ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ଏକ ଜନହିତକର ଆବେଦନ ଉପରେ ମାରାଥନ୍‌ ଶୁଣାଣି କରି ଶେଷରେ ଚଳିତବର୍ଷ ଫେବୃୟାରୀ ୨୧ ତାରିଖରେ ଏହାକୁ ସୁରକ୍ଷିତ ରଖାଯାଇଥିଲା । ଆଇପିସିର ଧାରା ୩୭୫ ଦର୍ଶାଉଛି କି ବୈବାହିକ ଦୁଷ୍କର୍ମ ଅପରାଧ ଶ୍ରେଣୀଯୁକ୍ତ ନୁହେଁ । ଆବେଦନକାରୀ ଏହାକୁ ବେଆଇନ୍‌ ଦର୍ଶାଇ ଯେଉଁ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଜୋର୍‌ ଜବରଦସ୍ତ ଦୁଷ୍କର୍ମ କରୁଛନ୍ତି ତାହାକୁ ଅପରାଧ ଶ୍ରେଣୀଭୁକ୍ତ କରିବାକୁ ଦାବି କରିଥିଲେ ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ମଧ୍ୟ ବୈବାହିକ ଦୁଷ୍କର୍ମକୁ ଅପରାଧ ଭାବେ ବିବେଚନା କରିବାକୁ ବିରୋଧ କରିଥିଲେ । ୨୦୧୭ ମସିହାରେ କୋର୍ଟକୁ କେନ୍ଦ୍ର ସରକାର କହିଥିଲେ କି ଭାରତ ଅନ୍ଧ ଭାବେ ପଶ୍ଚିମ ଦେଶକୁ ଅନୁକରଣ କରିବା ଉଚିତ୍‌ ନୁହେଁ । ତେବେ ବୈବାହିକ ଦୁଷ୍କର୍ମ ଉପରେ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ କି ବିବାହର ମାନେ ନୁହେଁ କି କ୍ରୁରତାର ଲାଇସେନ୍ସ ମିଳିଗଲା । ବିବାହ ସମାଜର କୌଣସି ବି ପୁରୁଷକୁ ଏଭଳି କୌଣସି ଅଧିକାର ଦେଇନାହିଁ କି ସେମାନେ ତାଙ୍କ ସ୍ତ୍ରୀଙ୍କୁ ପଶୁଙ୍କ ଭଳି ବ୍ୟବହାର କରିପାରିବେ । ଯଦି କୌଣସି ବି ପୁରୁଷ ମହିଳାଙ୍କ ବିନା ସହମତିରେ ସଂପର୍କ ରଖେ ତାହାକୁ କ୍ରୁରତା କୁହାଯିବ ଓ ତାହା ଦଣ୍ଡନୀୟ ଅପରାଧ ଶ୍ରେଣୀର ।

Get real time updates directly on you device, subscribe now.