fbpx

ପୁଣି ଆଉ ଜଣେ ଟ୍ରାନ୍ସଜେଣ୍ଡର-ମହିଳା ଖେଳାଳି ବକ୍ସିଂ ରିଙ୍ଗରେ ହେବେ ମୁହାଁମୁହି! ବିଶ୍ୱ ଚାମ୍ପିୟନଶିପରେ ସୁଯୋଗ ମିଳୁନି, ଅଲିମ୍ପିକ୍ସରେ ସୁଯୋଗ ମିଳିଲା କେମିତି?

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ଓ ମହିଳା ବକ୍ସରଙ୍କ ମଧ୍ୟରେ ଫାଇଟକୁ ନେଇ ଏବେ ବଡ଼ ବିବାଦ ଦେଖାଦେଇଛି । ଗତ ୧ ତାରିଖରେ ଅଲିମ୍ପିକ୍ସରେ ଖେଳାଯାଇଥିବା ବକ୍ସିଂ ମ୍ୟାଚରେ ଆଲଜେରିଆର ଟ୍ରାନ୍ସଜେଣ୍ଡର ବକ୍ସର ଇମାନେ ଖେଲିଫ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଇଟାଲିର ଏଞ୍ଜେଲା କାରିନୀଙ୍କୁ ପ୍ରି-କ୍ୱାର୍ଟର ଫାଇନାଲରେ ମାତ୍ର ୪୬ ସେକେଣ୍ଡରେ ପରାସ୍ତ କରିଥିଲେ । ମ୍ୟାଚ ଅଧାରୁ ଏଞ୍ଜେଲା ଓହରିଯିବା ସହ ମିଡ଼ିଆ ଆଗରେ କାନ୍ଦିବାରେ ଲାଗିଥିଲେ । ଟ୍ରାନ୍ସଜେଣ୍ଡର ଖେଳାଳି ଇମାନେ ଜେଣ୍ଡର ଟେଷ୍ଟରେ ଫେଲ୍ ହୋଇଥିଲେ ହେଁ ତାଙ୍କୁ ରିଙ୍ଗକୁ ଓହ୍ଲାଇବାକୁ ସୁଯୋଗ ଦିଆଯାଇଥିଲା । ସେ କିଛି ସମୟ ରିଙ୍ଗରେ ରହିଥିଲେ ତାଙ୍କର ଜୀବନ ଚାଲିଯାଇଥାନ୍ତା ବୋଲି ଏଞ୍ଜେଲା କହିଥିଲେ ।

ତେବେ ଇମାନେଙ୍କୁ ମହିଳା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦେବା ଭୁଲ୍ ବୋଲି ଅନେକ ମତ ଦେଇଛନ୍ତି । ପୂର୍ବତନ ବ୍ରିଟିଶ ବକ୍ସର ଆନ୍ଥୋନୀ ଫାଓଲର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ଏନେଇ ଅନ୍ତର୍ଜାତୀୟ ବକ୍ସି କମିଟି (ଆଇଓସି) ଏକ ବୟାନ ଜାରି କରି କହିଛି, ପ୍ୟାରିସ ୨୦୨୪ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ସମସ୍ତ ଆଥଲେଟ ପ୍ରତିଯୋଗିତାର ଯୋଗ୍ୟତା ଓ ଏଣ୍ଟ୍ରି ନିୟମକୁ ପାଳନ କରିଥାନ୍ତି । ଏଥିସହିତ ପ୍ୟାରିସ ୨୦୨୪ ବକ୍ସି ୟୁନିଟ (ପିବିୟୁ) ଦ୍ୱାରା ନିର୍ଦ୍ଧାରିତ ସମସ୍ତ ଚିକିତ୍ସା ନିୟମକୁ ମଧ୍ୟ ପାଳନ କରାଯାଉଛି । ଗତ ଅଲିମ୍ପିକ୍ସ ପ୍ରତିଯୋଗିତା ପରି ଚଳିତ ଥର ଆଥଲେଟଙ୍କ ଲିଙ୍ଗ ଓ ବୟସ ସେମାନଙ୍କର ପାସପୋର୍ଟ ଆଧାରରେ ଧାର୍ଯ୍ୟ କରାଯାଉଛି । ଦୁଇଜଣ ମହିଳା ଆଥଲେଟଙ୍କୁ ପ୍ୟାରିସ ଅଲିମ୍ପିକ୍ସରେ ପ୍ରବେଶ ନେଇ ଅନେକ ଭ୍ରମାତ୍ମକ ଖବର ପ୍ରକାଶ ପାଇଛି । ଉକ୍ତ ଦୁଇ ଜଣ ଆଥଲେଟ କିଛି ବର୍ଷ ହେଲା ମହିଳା ବର୍ଗରେ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ସେଥିମଧ୍ୟରେ ୨୦୨୦ ଟୋକିଓ ଅଲିମ୍ପିକ୍ସ, ଆନ୍ତର୍ଜାତୀୟ ବକ୍ସିଂ ସଂଘ (ଆଇବିଏ), ବିଶ୍ୱ ଚାମ୍ପିୟନଶିପ ଦ୍ୱାରା ଅନୁମୋଦିତ ଟୁର୍ଣ୍ଣାମେଣ୍ଟ ସାମିଲ ରହିଛି । ମନମାନୀ କାରଣରୁ ଉକ୍ତ ଦୁଇ ଆଥଲେଟଙ୍କୁ ବିଶ୍ୱ ଚାମ୍ପିୟନଶିପରେ ଅଯୋଗ୍ୟ ଘୋଷିତ କରାଯାଇଥିଲା ବୋଲି ଆଇଓସି ପକ୍ଷରୁ କୁହାଯାଇଛି ।

ତେବେ ଏହି ବିବାଦ ମଧ୍ୟରେ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇମାନେଙ୍କ ପରି ତାଇୱାନ ବକ୍ସର ଲିନ୍ ୟୁ ଟିଙ୍ଗ ଜେଣ୍ଡର ଟେଷ୍ଟରେ ଫେଲ ହୋଇଥିଲେ ହେଁ ତାଙ୍କୁ ମଧ୍ୟ ଚଳିତ ଅଲିମ୍ପିକ୍ସରେ ଖେଳିବାକୁ ସୁଯୋଗ ମିଳିଛି । ତାଇୱାନ ବକ୍ସର ଆଜି ବକ୍ସିଂ ମୁକାବିଲାକୁ ଓହ୍ଲାଇବେ । ଗତବର୍ଷର ବିଶ୍ୱ ଚାମ୍ପିୟନଶିପରେ ଲିନ ଓ ଖଲିଫା ଉଭୟେ ଲିଙ୍ଗଗତ ଯୋଗ୍ୟତା ମାନଦଣ୍ଡ ପୂରଣରେ ଅସଫଳ ହୋଇଥିଲେ । ଦୁଇ ବକ୍ସରଙ୍କର ପାସପୋର୍ଟରେ ମହିଳା ଭାବେ ପରିଚୟ ରହିଛି । ୨୦୧୬ ରିଓ ଅଲିମ୍ପିକ୍ସର ଜେଣ୍ଡର ସମ୍ବନ୍ଧୀୟ ନିୟମ ଆଧାରରେ ନିଷ୍ପତ୍ତି ନିଆଯାଇଛି ବୋଲି ଆଇଓସି କହିଛି । ଗତ ୩ ବର୍ଷ ମଧ୍ୟରେ ଅନେକ ଖେଳରେ ଜେଣ୍ଡର ସମ୍ବନ୍ଧୀୟ ନିୟମକୁ ଅପଡେଟ୍ କରାଯାଇଥିବା କୁହାଯାଇଛି ।

ତେବେ ହ୍ୟୁମାନ ବଡିକୁ ନେଇ ଷ୍ଟଡି କରୁଥିବା ଜଣେ ଡାକ୍ତର କହିଛନ୍ତି, ମହିଳା ଓ ପରୁଷଙ୍କ ଶରୀର ମଧ୍ୟରେ ବହୁତ କିଛି ଫରକ ରହିଥାଏ । ସେକ୍ସ ଚେଞ୍ଜ ସର୍ଜରୀରେ ମଧ୍ୟ ପୁରୁଷଙ୍କର ଶକ୍ତି ମହିଳାଙ୍କ ପରି ହୋଇନଥାଏ । ମହିଳାଙ୍କର ଶାରୀରିକ ଗଠନ ଏପରି ହୋଇଥାଏ ଯେ ସେମାନେ ପୁରୁଷଙ୍କ ଅପେକ୍ଷା ସାମାନ୍ୟ ଦୁର୍ବଳ ହୋଇଥାନ୍ତି । ଟ୍ରାନ୍ସ ମହିଳାମାନେ ମଧ୍ୟ ଏକଦା ପୁରୁଷ ରହିଥିଲେ । ତେଣୁ ସେମାନଙ୍କର ଶାରୀରିକ କ୍ଷମତା, ମହିଳାଙ୍କ ଠାରୁ ଅଧିକ ମଜବୁତ ହୋଇଥାଏ । ଟ୍ରାନ୍ସ ମହିଳାଙ୍କ ପାଇଁ ଅଲଗା କ୍ୟାଟେଗୋରୀ ହେବା ଆବଶ୍ୟକ, ସେମାନେ ସାଧାରଣ ମହିଳାଙ୍କ ସହିତ ବ୍ୟାଟଲ ଗ୍ରାଉଣ୍ଡକୁ ଓହ୍ଲାଇବା ଅନୁଚିତ ବୋଲି ଅନେକ ମତ ଦେଇଛନ୍ତି । ତେବେ ଜଣେ ଟ୍ରାନ୍ସଜେଣ୍ଡର ଯଦି ମହିଳାଙ୍କର ସହ ଲଢ଼ିପାରିବେନି ତେବେ ସେ କାହା ସହ ଲଢ଼ିବେ । ଯଦି ଆଇଓସିର ନିୟମ ଏନେଇ ରହିଛି ତେବେ ପ୍ରତିଯୋଗୀ ବା ସେମାନଙ୍କର ରାଷ୍ଟ୍ର ଏ ବାବଦରେ କିପରି ଅବଗତ ନାହାନ୍ତି ।

Get real time updates directly on you device, subscribe now.