fbpx

୧୩ରେ ଆସୁଛି ଆଉ ଏକ ଲଘୁଚାପ: ରାଜ୍ୟରେ ଥମୁନି ଲଗାଣ ବର୍ଷା, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ସାରା ରାଜ୍ୟରେ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ହଜାର ହଜାର ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି କ୍ଷେତ୍ର ସୃଷ୍ଟି ହେବାର ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ମିଳିଥିବା ସୂଚନାନୁଯାୟୀ ମାଲକାନାଗିରି ଜିଲ୍ଲାରେ ଅବସ୍ଥା ସଙ୍ଗୀନ ରୂପ ଧାରଣ କରିଛି । ଜିଲ୍ଲାର ସିଲେରୁ, ସାବେରୀ, କୋଟେରୁ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ବହୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ସେହିପରି ୩୨୬ ନଂ ଜାତୀୟ ରାଜପଥ ଉପରେ ୫ଫୁଟ୍‌ ଉପର ପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରି ଓ ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଅନ୍ୟପକ୍ଷରେ ଗୋଦାବରୀ ନଦୀରେ କ୍ରମଶଃ ଜଳସ୍ତର ବୃଦ୍ଧି ପାଉଥିବାରୁ ମୋଟୁରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି । ଲଗାଣ ବର୍ଷାରେ କାଲିମେଳା ବ୍ଲକ୍‌ର ଭୁବନପାଲି ପଞ୍ଚାୟତର ଏମ୍‌ଭି-୯୬ ଗାଁରେ କେତେକ କଚ୍ଚା ଘର ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି ।

ଅନ୍ୟପଟରେ କେଉଁଝର ଜିଲ୍ଲା ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ବିଦ ସଙ୍କେତ ୩୮.୩୬୦ ମିଟର ରହିଥିବାବେଳେ ଜଳସ୍ତର ରହିଛି ୩୭.୪୪୫ମିଟର । ସେହିପରି ବରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ବରଗଡ଼ରୁ ବରପାଲୀକୁ ସଂଯୋଗ କରୁଥିବା ପୁରୁଣା ଜୀରା ନଦୀର ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି । ଫଳରେ ବରଗଡ଼ ସହରକୁ ସଂଯୋଗ କରୁଥିବା ଅମ୍ବାପାଲୀ, ବରପାଲୀ, ବଲାଙ୍ଗିର, ପଦ୍ମୁର ଓ ସୋହେଲାକୁ ଯିବା ପାଇଁ କାଠିକର ପାଠ ହୋଇପଡ଼ିଛି । ଫୁଲବାଣୀ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଘାଟିରୁ ମାଟି ଅତଡ଼ା ଖସିବା ସହ ବଡ଼ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି । ଫଳରେ ଗାଡ଼ିମଟର ଯିବାରେ ପ୍ରତିବନ୍ଧକ ଦେଖାଦେଇଛି । ଜିଲ୍ଲାର ସବୁଠୁ ବଡ଼ ଘାଟି କଳିଙ୍ଗ ଘାଟି, ରାଣୀପଥର ଘାଟି, ମାଧପୁର ଘାଟି, ସାରଙ୍ଗଗଡ଼ ଘାଟି ଇତ୍ୟାଦିରେ ମାଟି ଅତଡ଼ା ଖସି ବିରାଟ ଗଛମାନ ଉପୁଡ଼ି ପଡ଼ିଛି । ବର୍ଷା ଲାଗି ରହିଥିବାରୁ ଏସବୁ ସଫା କରିବା ପାଇଁ ବିଳମ୍ବ ଘଟୁଛି । ସେହିରି ହେକ୍ଟର ହେକ୍ଟର ଚାଷଜମିରେ ବର୍ଷା ଓ ବନ୍ୟାପାଣି ମାଡ଼ିଯାଇ ବ୍ୟାପକ ଫସଲହାନୀ ହେବାର ଆଶଙ୍କା ଦେଖାଦେଇଛି ।

ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି । କାମାକ୍ଷାନଗର ବ୍ଲକ୍‌ ତୁମୁସିଂହା ଠାରେ ଆପ୍ରୋଚ ରୋଡ୍‌ ଧୋଇଯିବାରୁ ଗମନାଗମନ ଠପ୍‌ ହୋଇପଡ଼ିଛି । ପ୍ରାୟ ୧୫ଟି ପଞ୍ଚାୟତ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହି ରି ବାଲେଶ୍ୱର-ମୟୁରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଥିବା ନୀଳଗିରି-କପ୍ତିଦା ରାସ୍ତାର ଟାଙ୍ଗଣାବନ୍ଧ ପୋଲରୁ ମାଟି ଅତଡ଼ା ଖସିବା ଫଳରେ ପୋଲଟି ବିଦପୂର୍ଣ୍ଣ ଅବସ୍ଥାରେ ରହିଛି । ୪୦ ଫୁଟ୍‌ ଲମ୍ବ ଏହି ପୋଲ ଉପରେ ୨ଟି ବଡ଼ବଡ଼ ଗାତ ହୋଇଥିବାରୁ ଯାତାୟାତକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି ।

 

Get real time updates directly on you device, subscribe now.