ଓଏସ୍ଏସ୍ସିର ଏଲ୍ଟିଆର ଶିକ୍ଷକ ପ୍ରକ୍ରିୟା ବଦଳିଲା, ଆସିଲା ନୂଆ ବିଜ୍ଞପ୍ତି
ପୂର୍ବରୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସେମାନଙ୍କୁ ବଞ୍ଚିତ କରାଯାଇଥିଲା। ଏ ସମ୍ପର୍କିତ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବୁଧବାର ଏହି ବିଜ୍ଞପ୍ତିକୁ ସଂଶୋଧନ କରାଯାଇଛି।
ଭୁବନେଶ୍ୱର: ଲିଭ୍ ଟ୍ରେନିଂ ରିଜର୍ଭ ଟିଚର (ଏଲ୍ଟିଆର) ପଦ ନିଯୁକ୍ତି ପ୍ରକ୍ରିୟାରେ ଦୃଷ୍ଟିହୀନ ଓ ଗୋଟିଏ ଗୋଡ଼ ଅକ୍ଷମ ଥୂବା ଆଶାୟୀ ସଂରକ୍ଷଣ ସୁବିଧା ପାଇବେ। ପୂର୍ବରୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସେମାନଙ୍କୁ ବଞ୍ଚିତ କରାଯାଇଥିଲା। ଏ ସମ୍ପର୍କିତ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବୁଧବାର ଏହି ବିଜ୍ଞପ୍ତିକୁ ସଂଶୋଧନ କରାଯାଇଛି।
ଦିବ୍ୟାଙ୍ଗଙ୍କ ନିମନ୍ତେ ସଂରକ୍ଷିତ ଥିବା ପଦରେ ବର୍ଗ- ୧ରେ ଦୃଷ୍ଟିହୀନ ଏବଂ ବର୍ଗ-୩ରେ ଗୋଟିଏ ଗୋଡ଼ ଅକ୍ଷମ ଥିବା ଆଶାୟୀଙ୍କୁ ନିଯୁକ୍ତିବେଳେ ସଂରକ୍ଷଣ ସୁବିଧା ମିଳିବ। ସେହିଭଳି ସ୍ନାତକ ଡିଗ୍ରୀ ଭାବେ ଯେଉଁ ଆଶାୟୀଙ୍କର ବିଟେକ, ବିଇ, ବିସିଏ,ବିବିଏ ଆଦି ଶିକ୍ଷାଗତ ଯୋଗ୍ୟତା ରହିଛି ସେମାନେ ମଧ୍ଯ ହିନ୍ଦୀ ଶିକ୍ଷକ ନିମନ୍ତେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଆସନ୍ତା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିବ। ସମ୍ପୃକ୍ତ ଆଶାୟୀମାନେ ସଂରକ୍ଷଣ ବର୍ଗରେ ଆବେଦନ କରିପାରିବେ ବୋଲି ସୂଚନା ମିଳିଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ 6025 ଏଲ୍ଟିଆର ଶିକ୍ଷକ ପଦ ନିଯୁକ୍ତି ପରୀକ୍ଷା ନିମନ୍ତେ ଓଏସଏସସି ପକ୍ଷରୁ ଗତ ଜାନୁଆରୀ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ମୋଟ ପଦରୁ ସ୍ବତନ୍ତ୍ର ବର୍ଗରେ 480 ପଦ ସଂରକ୍ଷିତ ଥିବା ଦର୍ଶାଯାଇଥିଲାବେଳେ ସେଥିମଧ୍ୟରୁ ଭିନ୍ନକ୍ଷମ ବର୍ଗରେ ୨୪୦ଟି ପଦ ସଂରକ୍ଷିତ ରହିଥିଲା; ମାତ୍ର ଯେଉଁ ଦିବ୍ୟାଙ୍ଗମାନେ ଏହି ପଦରେ ସଂରକ୍ଷଣ ସୁବିଧା ପାଇବା ପାଇଁ ଯୋଗ୍ୟ ମାନଙ୍କୁ ବଞ୍ଚିତ କରାଯାଇଥିଲା। ସଂରକ୍ଷିତ ବ୍ୟବସ୍ଥାରେ ସ୍ବଳ୍ପ ଦୃଷ୍ଟିଶକ୍ତି, ବଧିର ଏବଂ ଅନ୍ୟ ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀଙ୍କ ପଦ ସଂରକ୍ଷଣ କରାଯାଇଥିଲାବେଳେ ସମ୍ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ବା ଦୃଷ୍ଟିହୀନଙ୍କ ପାଇଁ ସେମାନ କୌଣସି ସଂରକ୍ଷଣ ବ୍ୟବସ୍ଥା ରହି ନଥିଲା।