ଶେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ତରଫରୁ ଋଣ ଦର ରେକର୍ଡ ବୃଦ୍ଧି ଏବଂ ମାନ୍ଦାବସ୍ତା ଆଶଙ୍କା ମଧ୍ୟରେ ଶେୟାର ବଜାରରେ ଗୁରୁବାର ହାହାକାର ଦେଖାଦେଇଛି । ସକାଳେ ସବୁଜ ସଙ୍କେତ ସହ ବଜାର ଖୋଲିଥିଲା କିନ୍ତୁ ପରେ ତଳକୁ ଖସିଥିଲା ସୂଚକାଙ୍କ, ଯାହା ଗତ ୫୨ ସପ୍ତାହରେ ସବଠୁ ନିମ୍ନସ୍ତର । କାରବାର ଆରମ୍ଭରେ ୫୩ ହଜାର ଉପରେ ଖୋଲିଥିବା ସେନ୍ସେକ୍ସ କାରବାର ଶେଷରେ ୫୨ ହଜାର ରୁ ତଳକୁ ପହଞ୍ଚିଥିଲା ।

କାରବାର ସମୟ ଶେଷରେ ୩୦ ପଏଣ୍ଟ ଥିବା ସେନ୍ସେକ୍ସ ୧୦୪୫.୬୦ ପଏଣ୍ଟ ଖସି ୫୧,୪୯୫.୭୯ ରେ ବନ୍ଦ ହୋଇଥିଲା । ସେହିଭଳି ନିଫଟି ଫିଫ୍ଟି ୩୩୧.୫୫ ପଏଣ୍ଟ ଖସି ୧୫,୩୬୦.୬୦ ରେ ବନ୍ଦ ହୋଇଥିଲା । ଶେୟାର ବଜାରରେ ରେକର୍ଡ ହ୍ରାସ ଯୋଗୁଁ ନିବେଶକଙ୍କୁ ଗୁରୁବାର ୫ ଲକ୍ଷ କୋଟିରୁ ଅଧିକ ହରାଇବାକୁ ପଡ଼ିଛି ।

ସେନ୍ସେକ୍ସର ୩୦ ଶେୟାର ମଧ୍ୟରୁ ଗୁରୁବାର ସବୁଠୁ ଅଧିକ ୬.୦୪ ପ୍ରତିଶତ ହ୍ରାସ ଟାଟା ଷ୍ଟିଲର ଶେୟାରରେ ଦେଖାଦେଇଛି । ସେହିପରି ନିଫ୍ଟି ଫିଫ୍ଟିରେ ହିଣ୍ଡାଲକୋର ଶେୟାର ୬.୭୪ ପ୍ରତିଶତ ଖସି ୩୩୩.୪୦ ଟଙ୍କା ସ୍ତରରେ ପହଞ୍ଚିଛି ।