ଘାରିଲା ଆର୍ଥିକ ସଂକଟ, ଅନ୍ଧାରରେ ପାକିସ୍ତାନ ! ରାତି ୯ଟା ପରେ ୧୪୪ ଧାରା ଜାରି

ଇସ୍‌ଲାମାବାଦ: ଶ୍ରୀଲଙ୍କା ଭଳି ପାକିସ୍ତାନର ସ୍ଥିତି ଏବେ ଦୁର୍ବିସହ ହୋଇପଡ଼ିଛି । ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ରସାତଳଗାମୀ । ସ୍ଥିତି ଏଭଳି ଉପୁଜିଛି କି ପାକିସ୍ତାନ ସରକାର ଏଥିରୁ ବର୍ତ୍ତିବା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି । ଆର୍ଥିକ ସଂକଟରେ ଜୁଝୁଥିବା ପାକିସ୍ତାନରେ ଏବେ ବିଜୁଳିର ଘୋର ସଂକଟ ଦେଖାଦେଇଛି । ଏହାରି ମଧ୍ୟରେ ପାକିସ୍ତାନ ସରକାର ବିଦ୍ୟୁତ୍‌ ସଂରକ୍ଷଣ ପାଇଁ ଏକ ନୂଆ ତରିକା ଆପଣାଇଛନ୍ତି । ସରକାର ବିଦ୍ୟୁତ୍‌ ଓ ଇନ୍ଧନ ବଞ୍ଚାଇବା ପାଇଁ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଗାଇଡ୍‌ଲାଇନ୍‌ ମୁତାବକ ରାତି ୯ଟା ପରେ ସହରରେ ୧୪୪ ଧାରା ଲଗାଯିବ ।

କିନ୍ତୁ ବିବାହ କାର୍ଯ୍ୟ ରାତି ୧୦ଟା ଓ ରେଷ୍ଟୁରାଣ୍ଟ, ଇଣ୍ଡଷ୍ଟ୍ରି, କ୍ଲବ, ପାର୍କ ଓ ସିନେମା ହଲ୍‌ ରାତି ୧୧ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ଏହାବାଦ୍‌ ମେଡିକାଲ ଷ୍ଟୋର, ଫାର୍ମାସି କମ୍ପାନୀ, ହସ୍ପିଟାଲ, ପେଟ୍ରୋଲ ପମ୍ପ, ସିଏନ୍‌ଜି ପମ୍ପ, ବେକେରୀ ଦୋକାନ, କ୍ଷୀର ଦୋକାନ, ପରିବା ବଜାର ଭଳି କେତେକ କ୍ଷେତ୍ରକୁ କୋହଳ କରାଯାଇଛି । ସେହିପରି ଯଦିଓ ପାକିସ୍ତାନ ଚା’ ରପ୍ତାନୀ କ୍ଷେତ୍ରରେ ବିଶ୍ୱର ୧ନଂ ସ୍ଥାନରେ ରହିଛି ତତାପି ସେଠିକାର ସରକାର ଏବେ ଲୋକଙ୍କୁ ଚା’ କମ୍‌ ପିଇବା ପାଇଁ ଅପିଲ୍‌ କରିଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରାନ୍ତରର ମୁଖ୍ୟମନ୍ତ୍ରୀ ହମଜା ଶହବାଜ ଗତ ଶନିବାର କହିଥିଲେ ଯେ ବିଜୁଳି ସଂକଟରୁ ବର୍ତ୍ତିବା ପାଇଁ ସରକାରଙ୍କୁ ଅଧିକରୁ ଅଧିକ ଶକ୍ତି ସଂରକ୍ଷଣ ଉପରେ ଜୋର୍‌ ଦେବା ଆବଶ୍ୟକ । ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଜୁଲାଇ ୧୬ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ।