fbpx

ଭାରତ- ପାକିସ୍ତାନ ସୀମାର ତାର କାଟି ନେଇଗଲେ ଚୋର, ସୀମା ପାର୍ ହୋଇ ଆସିଲେ ପାକିସ୍ତାନୀ ଛେଳି

ନୂଆଦିଲ୍ଲୀ: ଅନେକ ସମୟରେ ଭାରତ ଓ ପାକିସ୍ତାନକୁ ନେଇ ସୀମା ବିବାଦ ଲାଗି ରହିଥାଏ । ଏଥିପାଇଁ ବର୍ଡରରେ ଜବାନମାନେ ସବୁବେଳେ ଆଲର୍ଟ ମୋଡରେ ଥାନ୍ତି । ନିକଟରେ ଭାରତ ଏବଂ ପାକିସ୍ତାନ ସୀମାକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଭାରତ ପାକିସ୍ତାନ ଆନ୍ତର୍ଜାତୀୟ ସୀମାର ପ୍ରାୟ ୨୦ରୁ ୨୫ ଫୁଟ୍ ତାର ବାଡ଼କୁ କିଛି ଅସାମାଜିକ ବ୍ୟକ୍ତି କାଟି ନେଇଥିଲେ । ଏନେଇ ଜୁଲାଇ ୧୭ରେ ବିଏସଏଫ୍ ଅଧିକାରୀ ଧନାଉ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଅଭିଯୋଗରେ ଉଲ୍ଲେଖ ରହିଛି ଯେ ଜୁଲାଇ ୧୬ରେ ବିଏସଏଫ୍ ଜବାନ୍ ବର୍ଡ଼ରରେ ପାଟ୍ରୋଲିଂ କରୁଥିବା ସମୟରେ ଏ ବିଷୟରେ ସୂଚନା ପାଇଥିଲେ । ତାର ବାଡ଼ କଟାଯିବା ଫଳରେ ପାକିସ୍ତାନର ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ଛେଳି ଭାରତ ସୀମାରେ ପ୍ରବେଶ କରିଥିଲେ । ବିଏସଏଫ୍ ଜବାନ ସମସ୍ତ ଛେଳି ଗୁଡ଼ିକୁ ଧରି ଥାନାରେ ଅଟକ ରଖିଥିଲେ । ଏହା ପରେ ବର୍ଡ଼ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା । ଅପରପକ୍ଷରେ ଏହା ପାକିସ୍ତାନର ଡ୍ରାଏ ରନ୍ ହୋଇପାରେ ବୋଲି ଭାରତୀୟ ସୁରକ୍ଷା ଏଜେନ୍ସୀ ସନ୍ଦେହ କରୁଛନ୍ତି । କାରଣ ଏହା ପୂର୍ବରୁ ଅନେକ ଥର ପାକିସ୍ତାନ ଗୁପ୍ତଚର ଏଜେନ୍ସୀ ISI ଶତ୍ରୁ ବିଷୟରେ ସୂଚନା ଜାଣିବା ପାଇଁ ଡମି ପଠାଇ ସାରିଛି । ସେନା ସୂତ୍ରରୁ ପ୍ରକାଶ ବିଏସଏଫ୍ ଏବଂ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ଏକ ମିଟିଂ ହେବାର ସମ୍ଭାବନା ରହିଛି । ଏହା ପରେ ଛେଳି କେଉଁଠୁ ଆସିଲେ ଏହା ସ୍ପଷ୍ଟ ହେବ ।

Get real time updates directly on you device, subscribe now.