ଟ୍ରେନର ଝରକା ସିଟରେ ବସିଥିବା ଯାତ୍ରୀଙ୍କ ମୃତ୍ୟୁ, ଟ୍ରେନ ୩୦୦ କିମି ଯାତ୍ରା କରିବା ପରେ ସହଯାତ୍ରୀଙ୍କୁ ହୋଇଥିଲା ସନ୍ଦେହ

ଭୋପାଲ: ମୃତ୍ୟୁ ଏମିତି ବି ଆସିପାରେ… । ଟ୍ରେନରେ ଯାତ୍ରା କରୁଥିଲେ ହୋଇଯାନ୍ତୁ ସାବଧାନ । ଥଣ୍ଡା ହାୱା ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ । ହଁ ଆଜ୍ଞା ଟ୍ରେନରେ ଯାତ୍ରା କରୁଥିବା ସମୟରେ ଥଣ୍ଡା ହେତୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ।

ସୂଚନାରୁ ପ୍ରକାଶ ଜଣେ ବ୍ୟକ୍ତି ସାଧାରଣ ବଗିରେ ସିଙ୍ଗିଲ ୱିଣ୍ଡୋ ସିଟରେ ବସି ଯାତ୍ରା କରୁଥିଲା । ଅଧିକ ଥଣ୍ଡା କାରଣରୁ ବସିଥିବା ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ଅନ୍ୟ ସହଯାତ୍ରୀମାନଙ୍କୁ ଏ ବିଷୟରେ କିଛି ଧାରଣା ନଥିଲା । ତେବେ ଟ୍ରେନଟି ପ୍ରାୟ ୩୦୦ କିଲୋମିଟର ଯିବା ପରେ ଲୋକମାନଙ୍କୁ ସନ୍ଦେହ ହୋଇଥିଲା । ବ୍ୟକ୍ତିଙ୍କ କାନରେ ଇୟର ଫୋନ ଥିଲା ଏବଂ ଶରୀର କିଛି ହଲଚଲ ହେଉନଥିଲା । ଏହା ପରେ ଲୋକମାନେ ରେଳବାଇ କଣ୍ଟ୍ରୋଲ ରୁମରେ ଫୋନ କରି ଏ ବିଷୟରେ ସୂଚନା ଦେଇଥିଲେ । ଜିଆରପି ଦ୍ୱାରା ଯୁବକଙ୍କ ଛାନଭିନ୍ କରିବା ପରେ ତାଙ୍କ ପକେଟରେ ଥିବା ଟିକଟରୁ ଜଣାପଡ଼ିଲା ଯେ ସେ ବେତୁଲନିବାସୀ । ବ୍ୟକ୍ତିଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ତେବେ ଅତ୍ୟାଧିକ ଥଣ୍ଡା ଯୋଗୁଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଯାଞ୍ଚ ପରେ କହିଥିଲେ ।