ହାଇଓ୍ବା ଦେଖିଲେ ଡରୁଛନ୍ତି ଲୋକେ ! ବାଲି ଚୋରା ଚାଲାଣ ଯୋଗୁଁ ଏଥିରେ ବଢୁଛି ଦୁର୍ଘଟଣାର ହାର

ଭୁବନେଶ୍ବର: ବେଆଇନ ଟ୍ରକ, ଟିପ୍ପର ଏବଂ ହାଇଓ୍ବା ପାର୍କିଂ ଯୋଗୁ ଦୁର୍ଘଟଣା ଦିନକୁ ଦିନ ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି। ଏହି ଦୁର୍ଘଟଣାକୁ କିଏ ରୋକିବ ସେ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ବିଗତ ଦିନରେ ରାଜ୍ୟରେ ହାଇଓ୍ବା ଯୋଗୁ ଘଟୁଥିବା ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି। କେଉଁଠି ରାଜନେତାଙ୍କ ଉପରେ ଚଢ଼ିଯାଉଛି ତ’ କେତେବେଳେ ସାଧାରଣ ଲୋକଙ୍କ ଉପରେ। ଏଭଳି ଅନେକ ଘଟଣା ଏବେ ରାଜ୍ୟବାସୀଙ୍କ ମଧ୍ୟରେ ଆତଙ୍କିତ କରିଛି। ଏମିତିକି ଏବେ ଲୋକଙ୍କୁ ହାଇଓ୍ବା ଦେଖିଲେ ବି ଡର ଲାଗିଲାଣି।

ଏନେଇ ରାଜ୍ୟ ଟ୍ରକ୍ ମାଲିକ ସଂଘର ସମ୍ପାଦକ ରବି ନାରାୟଣ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ହାଇୱା ଗୁଡ଼ିକରେ ବାଲି ଚୋରା ଚାଲାଣ ହେଉଛି, ଅନଭିଜ୍ଞ ଡ୍ରାଇଭରମାନଙ୍କ ହାତରେ ଗାଡ଼ିର ଦାୟିତ୍ୱ ଦିଆଯିବା ଏବଂ ରାତିରେ ପରିବହନ ବିଭାଗ ପକ୍ଷରୁ କୌଣସି ପ୍ରକାର ଚେକିଂ କରାଯାଉନଥିବା ହେତୁ ହାଇୱା ଜନିତ ଦୁର୍ଘଟଣାର ହାର ବଢ଼ିଛି।

ତେବେ ଚଳିତ ବର୍ଷ ଜାନୁଆରୀରେ ହାଇୱା ଧକ୍କାରେ ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ବିଜେପି ନେତା ମୁରଲୀଧର ଛୁରିଆଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିଲା। ସେହିଭଳି ରବିବାର କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍‌‌ ନିକଟରେ ଏକ ହାଇଓ୍ବା ଚା’ ଦୋକାନକୁ ମାଡିଯିବାରୁ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି।