ଓଡ଼ିଶା ଭାସ୍କର: ଶୀତ ଦିନେ ବିବାହ କରିବା ଏକ ନିଆରା ଅନୁଭୂତି । ଏହି ଋତୁରେ ଥଣ୍ଡା ପବନ ଯୋଗୁଁ ତ୍ୱଚା ଶୁଷ୍କ ହେବାର ସମ୍ଭବନା ଅଧିକ ଥାଏ । ତେଣୁ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ ଅଟେ । ବିଶେଷ କରି ଶୀତ ଦିନେ ବିବାହ କରୁଥିବା ମହିଳାଙ୍କ ତ୍ୱଚାର ଉଜ୍ଜ୍ୱଳତା ବଜାୟ ରଖିବା ଆବଶ୍ୟକ ନଚେତ ମେକଅପ୍ ନେବାରେ ସମସ୍ୟା ଦେଖାଦେଇଥାଏ । ପ୍ରତ୍ୟେକ ଝିଅ ବିବାହ ଦିନ ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ଚାହିଁଥାଏ । ବ୍ରାଇଡାଲ ଲୁକରେ ଚମକ ଆଣିବା ପାଇଁ ନିମ୍ନଲିଖିତ କିଛି ଟିପ୍ସ ଆପଣାଇପାରିବେ ।
୧. ହାଇଡ୍ରେସନକୁ ଗୁୁରୁତ୍ୱ: ଶୀତ ଦିନେ ଅଧିକ ପାଣି ପିଇବାକୁ ମନ କରିନଥାଏ । କିନ୍ତୁ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଜରୁରୀ । କେବଳ ପାଣି ପିଇବା ବ୍ୟତୀତ ବିକଳ୍ପ ଭାବେ ପଇଡ଼ ପାଣି, ଲେମ୍ବୁ ପାଣି, ଗ୍ରୀନ୍ ଟି କିମ୍ବା ହର୍ବାଲ ଟି, ଫଳ ରସ ଇତ୍ୟାଦି ସେବନ କରିପାରିବେ । ଶରୀରରେ ଡିହାଇଡ୍ରେସନ୍ ଦେଖାଗଲେ ଏହା ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।
୨. ମଇଶ୍ଚରାଇଜ୍: ଶୀତ ଦିନେ ଥଣ୍ଡା ପବନ ପ୍ରଭାବରେ ତ୍ୱଚା ଶୁଷ୍କ ହେବା ସହ ଚମକ ମଧ୍ୟ ମଳିନ ପଡ଼ିଥାଏ । ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ତ୍ୱଚାର ପ୍ରକାର ଅନୁଯାୟୀ ଭଲ ମଇଶ୍ଚରାଇଜର ବ୍ୟବହାର କରନ୍ତୁ । ଗ୍ଲିସରିନ୍ ଯୁକ୍ତ ମଇଶ୍ଚରାଇଜର ବ୍ୟବହାର କରନ୍ତୁ ଯାହା ତ୍ୱଚାକୁ କୋମଳ ରଖିବାରେ ସହାୟକ ହୋଇଥାଏ । ଏହା ସହ ହାଲୁକା ମସାଜ କଲେ ତ୍ୱଚାର ମାଂସପେଶୀ ରିଲାକ୍ସ ହୋଇଥାଏ । ରାତିରେ ସବୁବେଳେ ମେକଅପ୍ ହଟାଇ ଶୁଅନ୍ତୁ ।
୩. ହେଲ୍ଦୀ ଡାଏଟ୍: ବିବାହ ପୂର୍ବରୁ ଅଧିକାଂଶ ମହିଳା ଡାଏଟିଂ କରିଥାନ୍ତି । ତେଲ, ମସଲା ଓ ଛଣାଛଣି ଖାଦ୍ୟ ଠାରୁ ଦୂରେଇ ରହିଥାନ୍ତି । କିନ୍ତୁ ଶୀତ ଦିନେ ଡାଏଟ୍ ଚାର୍ଟରେ ହେଲ୍ଦୀ ଏବଂ ପୋଷକ ତତ୍ୱରେ ଭରପୁର ପନିପରିବା, ଡ୍ରାଏଫ୍ରୁଟ୍ସ ଓ ଫଳର, ଭିଟାମିନ୍ ‘ସି’ ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ସେବନ କରନ୍ତୁ । ଏହା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦେଖାଯିବା ସହ କେଶର ଚମକ ବଜାୟ ରହିଥାଏ ।
୪. ନିୟମିତ ବ୍ୟାୟାମ: ବିବାହ ପୂର୍ବରୁ ପ୍ରତ୍ୟେକ ମହିଳାଙ୍କୁ ନିଜ ଫିଟନେସ୍ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । ଶୀତ ଦିନେ ଟିକିଏ କଷ୍ଟ ହେଲେ ମଧ୍ୟ ଯୋଗାସନ ଏବଂ ହାଲୁକା ଫେସିଆଲ ବ୍ୟାୟାମ ଦ୍ୱାରା ନିଜକୁ ଫିଟ୍ ରଖିପାରିବେ । ସକାଳ ଏବଂ ସନ୍ଧ୍ୟା ଭ୍ରମଣ ସହ ଷ୍ଟ୍ରେଚିଙ୍ଗ୍ ଏକ୍ସରସାଇଜ୍ କିମ୍ବା ଜିମ୍ ଜଏନ୍ କରିପାରିବେ ।
୫. କେଶ ଯତ୍ନ: ଶୀତ ଦିନେ ଶୁଷ୍କ କେଶ ସମସ୍ୟାରୁ ରକ୍ଷା ପାଇବା ପାଇଁ ସପ୍ତାହରେ ୧-୨ ଥର ଉଷୁମ ତେଲରେ ମସାଜ୍ କରନ୍ତୁ । ସବୁବେଳେ ହାଲୁକା ଭାବରେ ମସାଜ କରିବା ଲାଭଦାୟକ ହୋଇଥାଏ । ଆପଣ ଚାହିଁଲେ ଡୀପ୍ କଣ୍ଡିସନିଂ ମାସ୍କ ମଧ୍ୟ ବ୍ୟବହାର କରିପାରିବେ । ସୁସ୍ଥ ଏବଂ ଚମକଦାର କେଶ ପାଇଁ ମେଥି, ଘିକୁଆଁରୀ, ଚା’ପତି, ଦହି, ଲେମ୍ବୁ ଭଳି ଅନ୍ୟାନ୍ୟ ଘରୋଇ ଉପଚାର ଅପଣାଇ ପାରିବେ ।