ଚଳିତ ମାସରେ ଆମେରିକା ଗସ୍ତ କରି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ବାଇଡେନଙ୍କ ସହ ହେବ ସାକ୍ଷାତ, ଏଜେଣ୍ଡାରେ ରହିବ ଏହି ପ୍ରସଙ୍ଗ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଅର୍ଥାତ ସେପ୍ଟେମ୍ବରର ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବାର ଆଶା ରହିଛି । ସରକାରର ଉଚ୍ଚପଦସ୍ଥ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ସେପ୍ଟେମ୍ବରର ଶେଷ ସପ୍ତାହରେ ୱାଶିଂଟନ ଡିସି ଓ ନ୍ୟୁୟର୍କ ଗସ୍ତ କରି ପାରନ୍ତି । ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ପ୍ରଥମ ଆମେରିକା ଗସ୍ତ ହେବ । ଇଣ୍ଡିଆନ ଏକ୍ସପ୍ରେସର ସୂତ୍ର ଅନୁଯାୟୀ, ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର କାର୍ଯ୍ୟକ୍ରମକୁ ଅନ୍ତିମ ରୂପ ଦିଆଯାଉଛି । ଯଦି ମିଳିଥିବା ସୂଚନା ଅନୁରୂପ ସବୁକିଛି ଠିକ୍ ରହେ ତେବେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୨ରୁ ସେପ୍ଟେମ୍ବର ୨୭ ମଧ୍ୟରେ ଆମେରିକା ଗସ୍ତରେ ରହି ପାରନ୍ତି ।
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଏହା ପ୍ରଥମ ଫେସ ଟୁ ଫେସ ସାକ୍ଷାତ ହେବ । ଏହା ପୂର୍ବରୁ ଉଭୟ ନେତା ତିନି ଥର ଭର୍ଚୁଆଲ ସମ୍ମିଳନୀରେ ଭେଟି ସାରିଛନ୍ତି । ମାର୍ଚ୍ଚରେ କ୍ୱାଡ ସମ୍ମିଳନୀ, ଏପ୍ରିଲରେ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଓ ଜୁନରେ ଜି-୭ ସମ୍ମିଳନୀ ସମୟରେ ଦୁଇ ନେତା ଭର୍ଚୁଆଲି ପରସ୍ପରକୁ ଭେଟି ସାରିଛନ୍ତି ।
ଆଫଗାନିସ୍ତାନରେ ଦ୍ରୁତ ଗତିରେ ବଦଳୁଥିବା ପରିସ୍ଥିତିକୁ ଯଦି ଦେଖାଯାଏ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ମହତ୍ୱପୂର୍ଣ୍ଣ ରହିଛି । ବାଇଡେନଙ୍କ ସହ ସାକ୍ଷାତ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପ୍ରଶାସନର ଶୀର୍ଷ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପାରନ୍ତି । କୁହାଯାଉଛି, ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଜେଣ୍ଡାରେ ଆଫଗାନିସ୍ତାନ ସଙ୍କଟ ଏବଂ ଚୀନ ପ୍ରସଙ୍ଗ ରହିବ ।