fbpx

ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦେବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ, ଏମିତି ଉତ୍ତର ଦେଲେ ସିଜେଆଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀକୁ ଉଦଘାଟନକ କରିଛନ୍ତି। ଏହି ସମ୍ମିଳନୀକୁ ଦେଶର ପ୍ରଧାନ ବିଚାରପତି ଏନଭି ରମନ୍ନା ମଧ୍ୟ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଭାଷାକୁ ଆଗକୁ ବଢାଇବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି, ଆମକୁ ଅଦାଲତରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦେବା ଉଚିତ୍। ଏଥିରେ ଦେଶର ସାଧାରଣ ଜନତାଙ୍କ ନ୍ୟାୟ ବ୍ୟବସ୍ଥା ପ୍ରତି ଭରସା ଆହୁରି ମଜବୁତ ହେବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୫ରେ ଆମେ ପାଖାପାଖି ୧୮୦୦ ଆଇନକୁ ଚିହ୍ନଟ କରିଛୁ ଯାହା ଅପ୍ରାସଙ୍ଗିକ ହୋଇ ପଡିଥିଲା। ଏଥି ମଧ୍ୟରୁ କେନ୍ଦ୍ର ସରକାର ୧୪୫୦ ଏମିତି ଆଇନକୁ ସମାପ୍ତ କରିଛନ୍ତି। ମାତ୍ର ରାଜ୍ୟ ଦ୍ଵାରା କେବଳ ୭୫ ଆଇନକୁ ଶେଷ କରାଯାଇଛି।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଏହା ସୁନିଶ୍ଚିତ କରିବା ଆମର ଦାୟିତ୍ଵ ଯେ ଦେଶରେ ଆଇନ ଶିକ୍ଷା ଅନ୍ତର୍ଜାତୀୟ ମାନଦଣ୍ଡ ଅନୁରୂପ ହେଉ। ସେ କହିଛନ୍ତି, ଏହି ଅମୃତକାଳରେ ଆମର ଦୃଷ୍ଟି ଏମିତି ଏକ ନ୍ୟାୟିକ ବ୍ୟବସ୍ଥା ପାଇଁ ହେବା ଉଚିତ୍, ଯେଉଁଠି ସମସ୍ତଙ୍କୁ ନ୍ୟାୟ ସହଜରେ ଏବଂ ତ୍ଵରିତ ଭାବେ ମିଳି ପାରିବ।

ଅନ୍ୟପଟେ ପ୍ରଧାନ ବିଚାରପତି କହିଛନ୍ତି, ଆମକୁ ଲକ୍ଷ୍ମଣ ରେଖାର ଧ୍ୟାନ ରଖିବା ଉଚିତ୍। ଯଦି ଶାସନ ଆଇନ ମୁତାବକ ହେବ ତେବେ ନ୍ୟାୟପାଳିକା କେବେ ବି ତାଙ୍କ ରାସ୍ତାରେ ଆସିବ ନାହିଁ। ଯଦି ନଗରପାଳିକା, ଗ୍ରାମ ପଞ୍ଚାୟତ ନିଜ କର୍ତ୍ତବ୍ୟର ପାଳନ କରିବେ, ଯଦି ପୋଲିସ ଠିକରେ ତଦନ୍ତ କରିବ ଏବଂ ପୋଲିସ ହେପାଜତରେ ନିର‌୍ୟ୍ୟାତନା ବନ୍ଦ ହୋଇଯିବ, ତେବେ ଲୋକଙ୍କୁ ଅଦାଲତ ଆଡେ ଦେଖିବା ଆବଶ୍ୟକ ପଡିବ ନାହିଁ।

ସିଜେଆଇ ଏନଭି ରମନ୍ନା କହିଛନ୍ତି, ଅଦାଲତର ନିଷ୍ପତ୍ତିକୁ ସରକାରଙ୍କ ଦ୍ଵାରା ବର୍ଷ ବର୍ଷ ଧରି ଲାଗୁ କରାଯାଏ ନାହିଁ। ନ୍ୟାୟିକ ଘୋଷଣା ପରେ ମଧ୍ୟ ଜାଣି ଶୁଣି ନିଷ୍କ୍ରିୟ କରିବା ଦେଶ ପାଇଁ କ୍ଷତିକାରକ। ନିୟମ ତିଆରି କରିବା ଆମ ଅଧିକାରର କ୍ଷେତ୍ର ନୁହେଁ, ଯଦି କୌଣସି ନାଗରିକ ନିଜର ଅଭିଯୋଗ ନେଇ ଆମ ପାଖକୁ ଆସେ ତେବେ ଅଦାଲତ ମନା କରି ପାରିବ ନାହିଁ ବୋଲି ସିଜେଆଇ କହିଛନ୍ତି।

Get real time updates directly on you device, subscribe now.