୧୦୦ ବର୍ଷରେ ପଦାର୍ପଣ କରିବେ ମୋଦିଙ୍କ ମା’, ଜାଣନ୍ତୁ ତାଙ୍କ ଫିଟନେସର ରାଜ୍‌

ଆଉ ଦୁଇଦିନ ପରେ ଅର୍ଥାତ୍ ୧୮ ଜୁନ୍ ରେ ୧୦୦ ବର୍ଷରେ ପଦାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ ମୋଦି । ବହୁ ସମୟରେ ମୋଦିଙ୍କ ସହ ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଫଟୋ କିମ୍ବା ଭିଡିଓରେ ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ଆମେ ଦେଖିଥାଉ । ତାଙ୍କୁ ଏତେ ବର୍ଷ ହୋଇଥିଲେ ମଧ୍ୟ ଆଜି ବି ସେ ନିଜ କାମ ନିଜେ କରନ୍ତି । ସେ ଠିକ୍ ଭାବେ ଚଲାବୁଲା ମଧ୍ୟ କରନ୍ତି । ଏଥିପାଇଁ ତାଙ୍କୁ କୌଣସି ସହାୟତାର ଆବଶ୍ୟକ ନଥାଏ । ତାଙ୍କଠାରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖିବାକୁ ମିଳିନାହିଁ । ତେବେ ଜାଣିଛନ୍ତି କି ୧୦୦ ବର୍ଷ ପୂର୍ତ୍ତି ହେବାକୁ ଯାଉଥିଲେ ମଧ୍ୟ ଆଜି ସେ କାହିଁକି ଏଭଳି ଫିଟ୍ ଅଛନ୍ତି । ଆସନ୍ତୁ ଆଜି ଆପଣଙ୍କୁ ତାଙ୍କ ଫିଟର ରାଜ୍ ବିଷୟରେ କହିବୁ…

ଶାକାହାରୀ ଖାଦ୍ୟକୁ ପସନ୍ଦ କରନ୍ତି:
ସେ ଘର ଖାଇବାକୁ ସବୁବେଳେ ଅଧିକ ଗୁରୁତ୍ୱ ଦିଅନ୍ତି । ଭୋଜନ ସମୟରେ ଖିଚିଡୀ, ଡାଲି, ଭାତ ଭଳି ଶାକାହାରୀ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରନ୍ତି । ସେ ମିଠାରେ ଲପସୀ(ଏକ ପ୍ରକାରର ହାଲୱା) ପସନ୍ଦ କରନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ନିଜ ଜନ୍ମଦିନରେ ମା’ ହୀରାବେନଙ୍କୁ ଭେଟନ୍ତି, ସେ ମିଠା ସ୍ୱରୂପ ମିଶ୍ରୀ କିମ୍ବା ଲପସୀ ଖାଇବାକୁ ଦିଅନ୍ତି । ସେ ନିଜ ଖାଦ୍ୟରେ ଶାକାହାରୀ ଭୋଜନକୁ ଅଧିକ ପସନ୍ଦ କରନ୍ତି । ଏଥିପାଇଁ ମୋଦି ମା’ଙ୍କୁ ଭେଟିବା ସମୟରେ ରୁଟି, ଭାତ, ଡାଲି, ତରକାରୀ ଏବଂ ସାଲାଟ ଭଳି ଖାଦ୍ୟ ଖାଉଥିବାରୁ ଫଟୋ ଦେଖିବାକୁ ମିଳେ ।

ସମାଜ ପାଇଁ ଉଦାହରଣ:
ଏତେ ବର୍ଷରେ ପଦାର୍ପଣ କରିଥିଲେ ସୁଦ୍ଧା ୬ ମାସ ପୂର୍ବେ ହୋଇଥିବା ନିର୍ବାଚନରେ ସେ ସାଧାରଣ ଲୋକଙ୍କ ଭଳି ଲାଇନ୍‌ରେ ରହି ନିଜର ମତଦାନ ଦେଇଥିଲେ । ଏଥିସହ କରୋନା ସମୟରେ ଟୀକା ଦେବା ପାଇଁ ଭୟ ନକରି ସାଧାରଣ ଲୋକଙ୍କ ଭଳି ନିଜର ଟୀକାଦାନ କରିଥିଲେ । ଯାହା ସମାଜ ପାଇଁ ଏକ ଉଦାହରଣ ସଦୃଶ ।

ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ:
ଅହମ୍ମଦାବାଦର ଏକ ଡାଏଟିସିଅନ୍ କହିଛନ୍ତି ଯେ, ୧୦୦ ବର୍ଷ ହେବାକୁ ଥିବାବେଳେ ମଧ୍ୟ ହୀରାବେନଙ୍କ ଠାରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ । ସାଧାରଣ ଲୋକଙ୍କ ଭଳି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଘର ଏବଂ ଶାକାହାରୀ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେବା କାରଣରୁ ସେ ଏଯାବତ୍ ଫିଟ୍ ରହିଥିବା କହିଛନ୍ତି ଡାଏଟିସିଅନ୍ ।