ଅଣସର ଘରେ ମହାପ୍ରଭୁଙ୍କର ହୋଇଥାଏ ଏହି ନୀତି: ଏକବସ୍ତ୍ର ପିନ୍ଧି ସେବା କରନ୍ତି ଦଇତାପତି

ପୁରୀ(ଓଡ଼ିଶା ଭାସ୍କର): ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜ୍ୱରରେ ପୀଡିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ । ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି ।

⁠ଅଣସର ପିଣ୍ଡିର ଚାରିପଟେ ବାଉଁଶ ତାଟି କୋଠ ସୁଆସିଆମାନେ ଭିଡ଼ି ଦିଅନ୍ତି । ତାଟି ବାହାରେ ଏକ ଖଟ ପକାଯାଇ ପଟି ଦିଅଁ (ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣ) ଚିତ୍ରକାର ମାନଙ୍କ ଘର ଠାରୁ ବିଧି ଅନୁସାରେ ଅଣାଯାଇ ରଖାଯାଏ । ଦକ୍ଷିଣ ଘରୁ ମହାଜନମାନେ ସାତ ମୂର୍ତ୍ତି ଦେବଦେବୀ (ଦୋଳଗୋବିନ୍ଦ, ରାମ, ନୃସିଂହଙ୍କୁ ବଡ଼ ବାଡ଼ରେ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଝିବାଡ଼ରେ, ମଦନମୋହନ ଓ କୃଷ୍ଣଙ୍କୁ ଶ୍ରୀଜଗନ୍ନାଙ୍କ ବାଡ଼ରେ) ଖଟ ଉପରେ ବିଜେ କରାନ୍ତି । ଏହି ମୋଟ ଦଶ ଦେବଦେବୀ “ଦଶ ଅବତାର ଠାକୁର’ ନାମରେ ପରିଚିତ । ତିନି ପଟି ଦିଅଁଙ୍କୁ ତାଟି ଦେହରେ ରୁନ୍ଧା ଯାଏ । ସ୍ନାନପୂର୍ଣ୍ଣିିମା ରାତିଠାରୁ ଅମାବାସ୍ୟା ଯାଏଁ ଠାକୁରମାନେ ଅଣସରରେ ରହିବା ନିୟମ । ଦଶାବତାର ଦିଅଁ ଆଗରେ ଏ ସମୟରେ ସମସ୍ତ ଦୈନିକ ନୀତି ଓ ଭୋଗରାଗ ହୁଏ ଦଶାବତାର ଦିଅଁଙ୍କର ଦ୍ୱିପ୍ରହର ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ ହୁଏ ଓ ପତି ମହାପାତ୍ରଙ୍କ ନିର୍ଦ୍ଦେଶରେ ଦକ୍ଷିଣ ଦ୍ୱାର ଖୋଲାଯାଏ । ତାଟି ଭିତରେ ଦିଅଁମାନଙ୍କର ମଇଲମ ହୁଏ । ତା’ପୂର୍ବରୁ ଦଇତାମାନେ ବଇଠା ବସାନ୍ତି । ଅନ୍ୟ ସମୟରେ ଅନ୍ଧକାର ଥାଏ । ଅଣସର ଘର ଭିତରକୁ ଦଇତା ଓ ପତିଙ୍କ ଛଡ଼ା ଅନ୍ୟ କେହି ଯାଇ ପାରିବେ ନାହିଁ । ଅଣସର ସମୟରେ ତିନି ଦିଅଁ ଶୁକ୍ଲ ସୁବାସ ଫୁଲ ଛଡ଼ା ଅନ୍ୟ ଫୁଲ ଲାଗି ହୁଅନ୍ତି ନାହିଁ । ଠାକୁରମାନଙ୍କର ପଣା ଭୋଗ ପତିମହାପାତ୍ର କରନ୍ତି । ଦଶାବତାର ଦିଅଁଙ୍କର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ଦିଅଁଙ୍କର ଚକଟା ଭୋଗ ହୁଏ । ଏହି ଭୋଗରେ ଧୁଆ ମୁଗ, ପାଚିଲା ପଣସ ଇତ୍ୟାଦି ଥାଏ ।

⁠ଅଣସର ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦଇତାପତିମାନେ ମଧ୍ୟ ଏକବସ୍ତ୍ର ପିନ୍ଧି ସେବା କରନ୍ତି । ଅଣସର ଦ୍ୱିତୀୟା ଦିନ ଦିଅଁମାନଙ୍କର ସ୍ନାନଯାତ୍ରା ପହଣ୍ଡିର ବସ୍ତ୍ର ବାହାର କରାଯାଏ । ଚର୍ତୁଥୀ ଦିନ ଶ୍ରୀଅଙ୍ଗ ଫିଟା ନୀତି ହୁଏ । ଅର୍ଥାତ ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ । ପାଟବସ୍ତ୍ର ଓ ଲାଗି ହୋଇଥିବା ଚନ୍ଦନ ବାହାର କରାଯାଏ । ପଞ୍ଚମୀ ଦିନ ‘ଫୁଲୁରି ଲାଗି’ ହୁଏ । ଦଇତାପତିମାନେ ରାଶିତେଲ, ଚୁଆ, କର୍ପୂର, ପିଙ୍ଗଣ ଓ ପରଖରେ ରଖି ଫୁଲରି ଲାଗି କରନ୍ତି । ଷଷ୍ଠୀଠାରୁ ନବମୀ ଯାଏଁ ଦିଅଁମାନଙ୍କୁ ‘ଓଷୁଅ ଲାଗି’ କରାଯାଏ । ଅଣସର ସୁଧସୁଆର ଝୁଣା ବାଟି ଓଷୁଅ ପ୍ରସ୍ତୁତ କରି ଯୋଗାନ୍ତି । ଦଶମୀ ଦିନ ‘ଚକା ବିଜେ’ ନୀତି ହୁଏ । ଏକାଦଶୀ ଦିନ ଚନ୍ଦନ ସହିତ କର୍ପୁର କେଶର ବଟା ହୁଏ ଓ ତାହା ଦଇତାପତିମାନେ ଦିଅଁମାନଙ୍କୁ ଲାଗି କରନ୍ତି । ଏହି ଦିନ ଘଣ୍ଟା, କାହାଳୀ ଓ ବାଜା ବାଜେ । ଅଣସର ତାଟି ଆଗରେ ବିରାଜିତ ଦଶାବତାର ଦିଅଁଙ୍କୁ ମଧ୍ୟ ଉକ୍ତଦିନ ଚନ୍ଦନଲାଗି କରାଯାଏ । ଅଣସରରେ ପ୍ରଥମ ଦିନଠାରୁ ଦଶମୀ ଦିନ ଯାଏଁ କୌଣସି ଦିଅଁଙ୍କ ନୀତିରେ ଘଣ୍ଟ କାହାଳୀ ବାଜେ ନାହିଁ କିମ୍ବା ମନ୍ଦିରରେ କୌଣସିଠାରେ ନାମ ସଂକୀର୍ତ୍ତନ ହୁଏ ନାହିଁ । ଅଣସର ପିଣ୍ଡିରେ ଦିଅଁମାନଙ୍କୁ ପତି ମହାପାତ୍ର ସର୍ପାମଣୋହି କରି ପୂଜା କରନ୍ତି । ଏହି ପୂଜାରେ ଘଣ୍ଟି, ଶଙ୍ଖ, ପିଢ଼ା କିମ୍ବା ଥାଳି ବ୍ୟବହାର କରାଯାଏ ନାହିଁ ।

⁠ଦ୍ୱାଦଶୀ ଦିନ ‘ରାଜପ୍ରସାଦ’ ନୀତି ହୁଏ । ଭୋଗମଣ୍ଡପ ଧୂପ ପରେ ରୂପାଥାଳିମାନଙ୍କରେ ରାଜପ୍ରସାଦ (ଶ୍ରୀଅଙ୍ଗର ଚନ୍ଦନ ଓ କରାଳ ଚନ୍ଦନ) ଓ ପାଟଡୋର ରଖି ଦଇତାପତିମାନେ ଶ୍ରୀନଅରକୁ ଯାଅନ୍ତି । ସେମାନଙ୍କ ଆଗରେ ତଳିଚ୍ଛ ଓ ପ୍ରଧାନୀ ହାତ ପଇଠ କରି ଘଣ୍ଟ, ଛତା ଓ କାହାଳୀ ସହ ଯାଆନ୍ତି । ନଅରରେ ରାଜାଙ୍କ ହାତଛୁଆଁ ଶାଢ଼ିମାନ ଦଇତା, ପତିମହାପାତ୍ର, ତଡ଼ଉ, ଦେଉଳକରଣ ଓ ତଳିଚ୍ଛଙ୍କୁ ପ୍ରଦାନ କରାଯାଏ । ତ୍ରୟୋଦଶୀ ଦିନ ‘ଘଣାଲାଗି’ ଓ ‘ଶ୍ରୀପୟର ପୂଜା’ (ପାଟ ଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ) ଲାଗି ହୁଏ । ଘଣାଲାଗି ପରେ ଖଳିଲାଗି ହୁଏ । ତା’ ପରେ ଖଡ଼ିଲାଗି ହୁଏ । ଲାଗି ପରେ ଖଡ଼ି ପ୍ରସାଦ ଧରି ଦଇତାପତି ମାନେ ନଅରକୁ ଯାଆନ୍ତି । ସେମାନଙ୍କ ସାମନାରେ ଦତ୍ତ ମହାପାତ୍ର ଓ ପ୍ରଧାନୀ ହାତ ପଇଠ ହୋଇ ଯାଅନ୍ତି । ନଅରରେ ।ରାଜପ୍ରସାଦ’ ନୀତି ଭଳି ଶାଢି ପ୍ରଦାନ ହୁଏ । ତ୍ରୟୋଦଶୀ ଦିନ ‘ଶ୍ରୀମୁଖ ଓତା’ ନୀତି ହୁଏ । ଚତୁର୍ଦ୍ଦଶୀରେ ‘ବନକଲାଗି’ କାର୍ଯ୍ୟ ଦତ୍ତ ମହାପାତ୍ରମାନେ କରନ୍ତି । ତା’ପରେ ଚକା ଅପସର ଲାଗି ହୁଏ । ନୂଆ କନା ପଡ଼ି ଏଗୁଡ଼ିକ ତିଆରି ହୋଇଥାଏ । ଏହା ଲାଗି ପରେ ଏବଂ ଦଶାବତାର ଠାକୁରମାନଙ୍କର ଆଳତି ଓ ଅବକାଶ ନୀତି ପରେ ମହାଜନମାନେ ‘ଦଶାବତାର’ରୁ ପାଞ୍ଚମୂର୍ତ୍ତି ଦକ୍ଷିଣ ଘରକୁ ନିଅନ୍ତି । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାନ୍ତି । ପଟି ଦିଅଁ (୩)ଙ୍କୁ ବିମଳା ମନ୍ଦିର ନିକଟସ୍ଥ ମଣ୍ଡଣି ଘରକୁ ବିଜେ କରାନ୍ତି । ଏହାପରେ କୋଠ ସୁଆଁସିଆମାନେ ଅଣସର ଘରୁ ତାଟି ଓ ଖଟ ବାହାର କରନ୍ତି । ଭିତରେ ପାଣି ପଡ଼ିବା ପରେ ସେବକମାନେ ଓ ସର୍ବସାଧାରଣ ଚତୁର୍ଦ୍ଧାମୂର୍ତ୍ତିିଙ୍କୁ ଦର୍ଶନ କରନ୍ତି । ସେତେବେଳେ ଅମାବାସ୍ୟାର ସକାଳ ହୋଇଯାଇାଏ । ଏହି ଦିଅଁ ଦର୍ଶନକୁ ‘ନବଯୌବନ ଦର୍ଶନ’ କୁହାଯାଏ ।

⁠ଏହି ଦିନର ଅନ୍ୟ ଏକ ବିଶିଷ୍ଟ ନୀତି ହେଉଛି ‘ନେତ୍ରୋତ୍ସବ’ । ନବଯୌବନ ଦର୍ଶନ ପରେ ଭିତର ପହଁରା ଯାଇ ଚୂନପାଣି ପଡ଼େ । ତିନୋଟି ରୁପା ପିଙ୍ଗଣରେ ଚନ୍ଦନ ଆସିଲେ ପତି ମହାପାତ୍ର ତାହା ସଂସ୍କାର କରିବା ପରେ ଦଇତାପତି ଚନ୍ଦନଲାଗି କରାନ୍ତି । ତା’ପରେ ମଇଲମ ହୋଇ ତିନି ଠାକୁର ନଅଖଣ୍ଡ ଓ ସୁଦର୍ଶନ ଏକ ଖଣ୍ଡ ବୋଇରାଣୀ ବସ୍ତ୍ର ପରିଧାନ କରନ୍ତି । ଏହା ପରେ ପତି ମହାପାତ୍ର ଅକ୍ଷତ, କର୍ପୂର ଆଳତି, ସାତବତୀ, ସଞ୍ଜକାହାଳୀ ବନ୍ଦାପନା କରିବା ଉତ୍ତାରେ ଦଉ ମହାପାତ୍ର (୩ଜଣ) ଆସି ତିନୋଟି ରୁପା ବଟାରେ ପୂର୍ବରୁ ପ୍ରସ୍ତୁତ କଳା ଯୋଗାନ୍ତି । ପୂଜାପଣ୍ଡା ତିନିଜଣ ତିନୋଟି କାଠିରେ ଶ୍ରୀନେତ୍ର ଲାଗି କରନ୍ତି । ଏହାକୁ ନେତ୍ରୋତ୍ସବ କୁହାଯାଏ ।

⁠ନେତ୍ରୋତ୍ସବ ନୀତି ପରେ ତିନି ବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି । ବନ୍ଦାପନା ସମାପନ ପରେ ମୁଦିରସ୍ତ ତିନି ବାଡ଼ରେ ତିନିଯୋଡ଼ା ଗାମୁଛା ଦେଇ ଦଣ୍ଡ ପ୍ରଣାମ କରନ୍ତି । ଏହାକୁ ‘ନିଉଛାଳି’ କୁହାଯାଏ । ତା’ପରେ ସେ ତିନିବାଡ଼ରେ ରାଜନୀତି କରନ୍ତି । ଏହା ପରେ ଭିତର ପାଣିପଡ଼ି ଯାତ୍ରାଙ୍ଗ ମହାସ୍ନାନ ହୁଏ । ରୋଷରେ ଭୋଗ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସରିଲେ ମହାସ୍ନାନ ହୁଏ । ମହାସ୍ନାନ ଶେଷରେ ଶାନ୍ତିଜଳ ପ୍ରଭୁଙ୍କ ଶ୍ରୀଅଙ୍ଗରେ ସିଞ୍ଚାଯାଏ । ମଇଲମ ପରେ ଶ୍ରୀଅଙ୍ଗରେ ଚନ୍ଦନଲାଗି କରାଯାଏ । ଏହି ଚନ୍ଦନଲାଗିକୁ ‘ସର୍ବାଙ୍ଗ’ କୁହାଯାଏ । ସର୍ବାଙ୍ଗ ପରେ ବେଶ ହୁଏ । ଅଣସର ପିଣ୍ଡି ସିଂହାସନ ଧୋପଖାଳ ପରେ ସକାଳ ଧୂପ ଡାକରା ହୁଏ । ଏହି ଭୋଗ ଘଣ୍ଟ, ଛତା, କାହାଳୀ ସହ ନିର୍ଦ୍ଦିଷ୍ଟ ସେବକଙ୍କ ହାତପୈଠ ମଧ୍ୟରେ ଛାମୁକୁ ଆସେ । ଏହି ଦିନର ଗୋପାଳବଲ୍ଲଭ ଭୋଗ ସକାଳ ଧୂପ ସହିତ ହୁଏ । ଏହା ପରବର୍ତ୍ତୀ ଦୈନନ୍ଦିନ ନୀତି କ୍ରମ ଅନୁସାରେ ପାଳିତ ହୁଏ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ଆନୁଷଙ୍ଗିକ ପାଳନୀୟ ବିଧିବିଧାନ ଆବଶ୍ୟକତା ଅନୁସାରେ ପାଳିତ ହୁଏ । କାରଣ ଯଦି ଅମାବାସ୍ୟା ପ୍ରତିପଦ ସଂଯୁକ୍ତ ହୋଇପଡ଼େ ତେବେ ଦୁଇଦିନରେ ବିଭକ୍ତ ହୋଇ ପାଳିତ ହୋଇଥାଏ ।

⁠ଶ୍ରୀଗୁଣ୍ଡିଚା ପୂର୍ବଦିନ ସକାଳ ଧୂପ ଶେଷ ପରେ ତିନିବାଡ଼ରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ତିନିଜଣ ଘଣ୍ଟ, ଛତା, କାହାଳୀ ସହ ରଥ ଖଳା ବା ରଥ ନିର୍ମାଣ ସ୍ଥାନକୁ ଆସନ୍ତି ଓ ଯେଉଁ ବାଡ଼ର ଆଜ୍ଞାମାଳ, ସେହି ବାଡ଼ର ରଥ ଦେହରେ ବାନ୍ଧି ଦିଅନ୍ତି । ଆଜ୍ଞାମାଳ ପାଇବା ପରେ ତିନୋଟି ରଥ ଟଣାହୋଇ ସିଂହଦ୍ୱାର ସାମନାସ୍ଥ ନିର୍ଦ୍ଧାରିତ ସ୍ଥାନରେ ରଖାଯାଏ । ବିଧି ଅନୁସାରେ ରଥ ପ୍ରତିଷ୍ଠା କର୍ମ ହୁଏ । କିନ୍ତୁ ରଥ ନିର୍ଦ୍ଧାରିତ ସ୍ଥାନରେ ଲାଗିବାକୁ ରାତି ହୋଇଗଲେ ପ୍ରତିଷ୍ଠା କର୍ମ ପରବର୍ତ୍ତୀ ଦିନ ଅର୍ଥାତ୍ ଶ୍ରୀଗୁଣ୍ଡିଚା ଦିନ ସକାଳୁ ହୋଇଥାଏ । ରଥ ଦଧିନଉତିର ଉପରି ଭାଗରେ ଖଞ୍ଜା ହେବା ନିମନ୍ତେ ଥିବା କଳସମାନ ଜୟ ବିଜୟ ଦ୍ୱାରରେ ରଖାଯାଇଥାଏ । ସଂଧ୍ୟାଧୂପ ପରେ ଶ୍ରୀଜୀଉଙ୍କ ତିନିବାଡ଼ରୁ ଆଜ୍ଞା ମାଳ ନେଇ ପୂଜାପଣ୍ଡା କଳସମାନଙ୍କରେ ଦିଅନ୍ତି ଓ ତିନିଖଣ୍ଡି ପତନି କଳସମାନଙ୍କରେ ବନ୍ଧାଯାଏ । ତା’ ପରେ କୋଠ ସୁଆଁସିଆମାନେ କଳସମାନ ନେଇ ରଥମାନଙ୍କରେ ବାନ୍ଧନ୍ତି । ବଡ଼ସିଂହାର ପହୁଡ଼ ଆଳତି ପରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ଦଇତାମାନେ ବାହୁଟ ମାପ କରନ୍ତି । ସାକ୍ଷୀଗୋପାଳରୁ ଅଣାଯାଇଥିବା ବଉଳକାଠରେ ବିଶ୍ୱକର୍ମା (ବଢ଼େଇ) ବାହୁଟ ତିଆରି କରିଥାନ୍ତି ଓ ତାମରା ବିଶୋଇ ତହିଁରେ ତମ୍ବା ପତ୍ର ଯୋଡ଼ି ଦିଅନ୍ତି ।

ବାହୁଟ ଲାଗି ଓ ସେନାପଟା ଲାଗି କରାଯାଏ । ଶୁକ୍ଳସଜ ଲାଗି କରାଯାଏ । ଏହିପରି ଭାବରେ ରଥଯାତ୍ରା ପୂର୍ବଦିନର ପ୍ରସ୍ତୁତି ଶେଷ ହୋଇଥାଏ । ତେବେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିିଥିରୁ ଆରମ୍ଭ ହୁଏ ।