୨୩ ବର୍ଷରେ କଲେଣି ୨୨୦୦୦ ଶବ ବ୍ୟବଚ୍ଛେଦ, ଲୋକମାନେ ଡାକୁଛନ୍ତି postmortem woman

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ସାକ୍ଷାତକାର ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ସେ ୨୨ରୁ ୨୩ ହଜାର ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରିଛନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି ମହିଳାଙ୍କୁ ଜଣେ ବ୍ୟକ୍ତି ପଚାରୁଛି ଆପଣ ଏ ପର୍ଯ୍ୟନ୍ତ କେତେ ଶବ ବ୍ୟବଚ୍ଛେଦ କଲେଣି । ଏହାର ଉତ୍ତରରେ ସେ କହିଛନ୍ତି ୨୨ରୁ ୨୩ ହଜାର ଶବ । ଆହୁରି ତାଙ୍କୁ ପଚରାଯାଇଛି କି ବହୁ ସମୟରେ ଶୁଣିବାକୁ ମିଳିଥାଏ କି ବ୍ୟବଚ୍ଛେଦ ସମୟରେ ଶବ ଜୀଇଁ ଉଠିଥାଏ । ଆପଣ କ’ଣ କେବେ ଏପରି ପରିସ୍ଥିତିର ସାମ୍ନା କରିଛନ୍ତି । ସେ କହିଛନ୍ତି ଥରେ ତାଙ୍କ ପାଖକୁ ଏପରି ଏକ ମୃତଦେହ ଆସିଥିଲା ଯାହାର ଆଖି ଖୋଲା ରହିଥିଲା । ମୃତଦେହ ବହୁତ ସତେଜ ଥିଲା । ବାରମ୍ବାର ଶବର ଆଖିି ଖୋଲି ଯାଉଥିଲା । ଏହାପରେ ମୁଁ ଶବ ଆଡକୁ ଚାହିଁ କହିଥିଲି ତୁମେ ଶାନ୍ତ ରୁହ, ତୁମେ ଏକ ମୃତ ଶରୀର । ଏହାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ମୋର ମଜାକ୍ ଉଡାଇବା ଆରମ୍ଭ କରିଦେଇଥିଲେ ।

ଏହି ମହିଳାଙ୍କ ନାମ ହେଉଛି ମଞ୍ଜୁ ଦେବୀ । ସେ ବିହାର ସମସ୍ତିପୁର ଜିଲ୍ଲା ହସ୍ପିଟାଲରେ ପୋଷ୍ଟମର୍ଟମ ସହାୟିକା ଅଛନ୍ତି । ସେ ଶବକୁ ଚିରିବା ପୁଣି ତାହାକୁ ସିଲାଇ କରିବା ଓ ପ୍ୟାକ୍ କରିବା କାମ କରିଥାନ୍ତି । ୨୦୦୦ ମସିହାରୁ ମାତ୍ର ୨୩ ବର୍ଷ ବୟସରୁ ସେ ଏହି କାମ କରି ଆସୁଛନ୍ତି । ତାଙ୍କ ପରିବାରରେ ୪ ପିଢି ଧରି ଏହି କାମ ହୋଇଆସୁଛି । କିନ୍ତୁ ତାଙ୍କ ଚାକିରୀ ଏ ପର୍ଯ୍ୟନ୍ତ ସ୍ଥାୟୀ ହୋଇପାରି ନାହିଁ । ତାଙ୍କୁ ଏହି କାମ ପାଇଁ ଦିନକୁ ମାତ୍ର ୩୮୦ ଟଙ୍କା ମିଳିଥାଏ । ଶବ ନ ମିଳିଲେ କିଛି ମିଳି ନ ଥାଏ ।