fbpx

ପୂର୍ବତନ ଅର୍ଥମନ୍ତ୍ରୀ ଦେଲେ ଇସ୍ତଫା, କଂଗ୍ରେସକୁ ଛାଡି ବିଜେପିର ହାତ ଧରିଲେ ମନପ୍ରୀତ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଏହାପରେ ସେ ବିଜେପି ଦଳରେ ସାମିଲ ହୋଇଛନ୍ତି । ମନପ୍ରୀତ ବାଦଲ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ରାଷ୍ଟ୍ରୀୟ ମହାମନ୍ତ୍ରୀ ତରୁଣ ଚୁଘଙ୍କ ଉପସ୍ଥିତିରେ ମନପ୍ରୀତ ବିଜେପି ଦଳରେ ସାମିଲ ହୋଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ସେ ଏପରି ପରିସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି, ଯେତେବେଳେ ପଞ୍ଜାବରେ ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ ଯାତ୍ରା ଚାଲୁରହିଛି ।

ମନପ୍ରୀତ ବାଦଲ ରାହୁଲ ଗାନ୍ଧୀଙ୍କୁ ଏକ ପତ୍ର ଦ୍ୱାରା ଲେଖିଛନ୍ତି ଯେ, ‘ ମୁଁ ବହୁତ ଦୁଃଖରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ସାତ ବର୍ଷ ପୂର୍ବେ ମୁଁ ପିପୁଲ୍ସ ଅଫ ପଞ୍ଜାବ ଦଳ ବିଲୋପ କରି ଆପଣଙ୍କ ଦଳରେ ଯୋଗ ଦେଇଥିଲି । କାରଣ ମୁଁ ଆଶା ରଖିଥିଲି ଯେ, ମୋତେ ପଞ୍ଜାବର ଲୋକଙ୍କ ସେବା ଏବଂ ହିତ କାର୍ଯ୍ୟର ସୁରକ୍ଷା ପାଇଁ ସୁଯୋଗ ମିଳିବ । ହେଲେ କଂଗ୍ରେସ ମୋ ଆଶା ପୂରଣ କରିନାହିଁ ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖର ସହ କଂଗ୍ରେସ ଦଳ ଛାଡ଼ିବାକୁ ବାଧ୍ୟ ହେଉଛି ।

ପଞ୍ଜାବ ରାଜନୀତିର ଆଗଧାଡ଼ିର ନେତା ହେଉଛନ୍ତି ମନପ୍ରୀତ ବାଦଲ । ୨୦୧୬ ମସିହା ପଞ୍ଜାବ ରାଜନୀତିରେ ଏକ ବୈପ୍ଲବିକ ପରିବର୍ତ୍ତନ ଦେଖାଦେଇଥିଲା । କଂଗ୍ରେସ ନିଜର ମୁଳଦୁଆ ମଜବୁତ କରିବା ପାଇଁ ପ୍ରକାଶ ସିଂହ ବାଦଲର ଭଣଜା ଏବଂ ପଞ୍ଜାବ ପିପୁଲ୍ସ ଦଳର ମୁଖ୍ୟ ମନପ୍ରୀତଙ୍କୁ ନିଜ ସହ ମିଶାଇ ଦେଇଥିଲା ଏବଂ ସେହି ପାର୍ଟୀର ବିଲୟ ମଧ୍ୟ କରିଦେଇଥିଲା । ମନପ୍ରିତ ୨୦୧୧ ମସିହାରେ ପ୍ରକାଶ ସିଂହ ବାଦଲଙ୍କ ଶିରୋମଣି ଅକାଳୀ ଦଳରୁ ଅଲଗା ହୋଇ ପଞ୍ଜାବ ପିପୁଲ୍ସ ଦଳ ଗଠନ କରିଥିଲେ । ମନପ୍ରିତ ୫ଥର ଏମଏଲଏ ରୂପରେ ଚୟନ ହୋଇଛନ୍ତି । ସେ ପୂର୍ବ କଂଗ୍ରେସ ସରକାରର ଅର୍ଥମନ୍ତ୍ରୀ ରହିଆସିଛନ୍ତି ଏବଂ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ପ୍ରକାଶ ସିଂହ ବାଦଲଙ୍କ ସରକାରରେ ଅର୍ଥମନ୍ତ୍ରୀ ରୂପରେ କାର୍ଯ୍ୟ କରିଛନ୍ତି ।

କ୍ୟାପଟେନ ଅମରିନ୍ଦର ସିଂ, ରାଜ୍ୟର ପୂର୍ବତନ ସିଏମ ତଥା ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କଂଗ୍ରେସ ରାଜ୍ୟ ସଭାପତି ତଥା ପୂର୍ବତନ ସିଏଲପି ନେତା ସୁନୀଲ ଜାଖର ଏବଂ କଂଗ୍ରେସର ପୂର୍ବତନ ମୁଖପାତ୍ର ଜୟଭେର ଶେରଗିଲ ବିଜେପିରେ ଯୋଗ ଦେଇଛନ୍ତି। ଏହା ବ୍ୟତୀତ ବିଜେପିରେ ଯୋଗ ଦେଇଥିବା ଏହି ନେତାଙ୍କ ମଧ୍ୟରେ ରାଜକୁମାର ଭର୍କା, ବଲବୀର ସିଂ ସିଦ୍ଧୁ, ସୁନ୍ଦର ଶ୍ୟାମ ଆରୋରା ଏବଂ ଗୁରୁପ୍ରୀତ ସିଂ କଙ୍ଗର ସାମିଲ ଅଛନ୍ତି।

Get real time updates directly on you device, subscribe now.