କିଣିଥାନ୍ତେ କଳା ଘୋଡ଼ା: ପଞ୍ଜାବୀ ବ୍ୟକ୍ତିଙ୍କୁ ୨୩ ଲକ୍ଷର ଚୂନ ଲଗେଇଦେଲେ ବିକ୍ରେତା

ନୂଆଦିଲ୍ଲୀ: ଓଡ଼ିଆରେ ଗୋଟିଏ ଢଗ ଅଛି ଘୋଡା ଛ ଟଙ୍କା ଦାନା ନ ଟଙ୍କା । ହେଲେ ୬ କି ୯ ଟଙ୍କା ନୁହେଁ  ଏଠାରେ ଘୋଡା କିଣି ୨୩ ଲକ୍ଷ ଟଙ୍କାର ଠକାମୀର ଶିକାର ହୋଇଛନ୍ତି ଜଣେ ପଞ୍ଜାବୀ ବ୍ୟକ୍ତି । ଏକ କଳା ମାରୱାଡୀ ଘୋଡ଼ା କିଣିବାକୁ ଇଚ୍ଛା କରିଥିଲେ ସୁନାମ ସିଟିରେ ରହୁଥିବା ରମେଶ । ଏମିତି କି କାଳିଆ ଘୋଡାଟିକୁ କିଣିକି ଆଣିଥିଲେ ମଧ୍ୟ । ତେବେ ଘୋଡାଟିକୁ ଥରେ ଧୋଇବା ପରେ ରମେଶ ନିଜେ ହତବାକ୍ ହୋଇ ଯାଇଥିଲେ । କାଳିଆ ଘୋଡା ବୋଲି ଭାବି ଯାହାକୁ କିଣିଥିଲେ ତାହା ପ୍ରକୃତରେ କଳା ନଥିଲା ବରଂ ଏହାକୁ କଳା ରଙ୍ଗ ବୋଳା ଯାଇଥିଲା ।

ରମେଶ ଘୋଡାଟିକୁ ଘରକୁ ଆଣି ଆସିବା ପରେ ଏହାକୁ ଗାଧେଇ ଦେଇଥିଲେ । ଗାଧେଇବା ପରେ ଘୋଡାର କଳାରଙ୍ଗ ଛାଡି ଯିବା ସହିତ ଏହା ଧୂସର ରଙ୍ଗର ଦେଖାଯାଇଥିଲା । ଏହି ଘଟଣା ପରେ ରମେଶ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଜତିନ୍ଦର ପାଲ ସିଂ ଶେଖୋନ୍, ଲଖୱିନ୍ଦର ସିଂ ଏବଂ ଲଚରା ଖାନ୍ ଆକା ଗୋଗା ଖାନ୍ ମିଳିତ ଭାବରେ ଏହି ଘୋଡାକୁ ବିକ୍ରି କରିଥିଲେ ।

୨୨.୬୫ ଲକ୍ଷ ଟଙ୍କାରେ ୩ ଜଣଙ୍କ ସହିତ ଡିଲ୍ କରିଥିଲେ ରମେଶ । ୭.୬ ଲକ୍ଷ ଟଙ୍କାର କ୍ୟାଶ ଦେବା ସହିତ ବଳକା ରାଶିର ଚେକ୍ ପ୍ରଦାନ କରିଥିଲେ । ତେବେ ଠକାମୀର ଶିକାର ହେବା ପରେ ପୋଲିସ ବର୍ତ୍ତମାନ ୩ ଅଭିଯୁକ୍ତଙ୍କ ନାମରେ ଧୋକାଦାରୀର ମାମଲା ରୁଜୁ କରିଛି ।

Get real time updates directly on you device, subscribe now.