ନୂଆଦିଲ୍ଲୀ: ଅଲ୍ଲ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ ସିନେମା ଘରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଆଗକୁ ମାଡ଼ି ଚାଲିଛି । ପୁଷ୍ପା-୨ ଭାରତର ସବୁଠାରୁ ବଡ଼ ଓପନିଂ ଫିଲ୍ମ ହେବା ସହ ବିଶ୍ୱବ୍ୟାପୀ ୪୨୧.୩୦ କୋଟି ଗ୍ରସ୍ ଓ ଭାରତରେ ୨୬୮.୭ କୋଟି ଟଙ୍କା ଆୟ କରିଛି । ରିଲିଜ୍ ହେବାର ଦୁଇ ଦିନରେ ଫିଲ୍ମଟି ୫୦୦ କୋଟି ଟଙ୍କାର ଆୟ କରିସାରିଥିବା ବେଳେ ସପ୍ତାହ ସୁଦ୍ଧା ଏହାର ଆୟ ୮ ଶହ କୋଟି ଟପିଯିବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ହଲରେ ଫିଲ୍ମ ଦେଖିବାକୁ ଲୋକମାନେ ପାହାନ୍ତା ୫ଟାରୁ ଧାଡ଼ି ଲମ୍ବାଉଥିବା ବେଳେ ଭିଡ଼ କାରଣରୁ ଅନେକ ସ୍ଥାନରେ ମୃତାହତ ଦେଖିବାକୁ ମିଳିଛି ।
ତେବେ ଆପଣମାନେ ଯଦି ଶସ୍ତାରେ ଫିଲ୍ମ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ଅଫର । ଏହି ଫିଲ୍ମର ଚାହିଦା ଏତେ ବେଶି ଯେ ତା’ର ଟିକେଟ ୨୪୦୦ ଟଙ୍କା ପର୍ଯ୍ୟନ୍ତ ବି ରହିଛି । ଦିଲ୍ଲୀରେ ଟିକେଟ୍ ଦାମ୍ ୧୮୦୦ ଟଙ୍କା ରହିଥିବା ବେଳେ ମୁମ୍ବାଇ, ବେଙ୍ଗାଲୁରୁରେ ସର୍ବାଧିକ ଦାମ୍ ଯଥାକ୍ରମେ ୧୬୦୦ ଓ ୧୦୦୦ ରହିଛି । ଦିଲ୍ଲୀ ଏନସିଅରରେ ଅଧିକାଂଶ ଥିଏଟର୍ସ ମଲ୍ଲିପ୍ଲେକ୍ସ ହୋଇଥିବା ବେଳେ ସେଠାରେ ଅଧିକାଂଶ ଲୋକ ସିଙ୍ଗଲ ସ୍କ୍ରିନ ଥିବା ସିନେମା ହଲରେ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି । ଏପରି ସ୍ଥିତିରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଥିଏଟର୍ସରେ ଟିକେଟ୍ ଦାମ୍ ଅନ୍ୟେ ସ୍ଥାନ ଅପେକ୍ଷା ବହୁତ କମ୍ ରହିଛି । ଦିଲ୍ଲୀରେ ଥିବା ଆଇକନିକ ସିଙ୍ଗଲ ସ୍କ୍ରିନ ଡିଲାଇଟ ସିନେମା ଓ ଦରିଆଗଞ୍ଜରେ ‘ପୁଷ୍ପା-୨ର ସବୁଠାରୁ ଶସ୍ତା ଟିକେଟ୍ ଉପଲବ୍ଧ ହେଉଛି । ଏହି ଥିଏଟରରେ ଲୋୟର ଷ୍ଟଲରେ ଟିକେଟ ମୂଲ୍ୟ ୯୫ ଟଙ୍କା ରହିଛି । ସେଣ୍ଟର ଷ୍ଟଲର ଟିକେଟ ୧୧୦ ଟଙ୍କା, ଅପର ଷ୍ଟଲର ମୂଲ୍ୟ ୧୬୦ ଟଙ୍କା ଓ ବାଲକୋନୀର ଟିକେଟ ୨୩୦ ଟଙ୍କାରହିଛି । ଏହି ସବୁ ଦାମରେ ଅନଲାଇନ୍ ବୁକିଂ କଲେ ତା’ ଉପରେ କନଭେନିଏନ୍ସ ଫିସ୍ ଓ ଜିଏସଟି ସାମିଲ ହେବ ନାହିଁ । ଏହି ଦୁଇଟି ଜିନିଷକୁ ଯୋଡ଼ିବା ପରେ ବି ଡିଲାଇଟର ସବୁଠାରୁ ଶସ୍ତା ଟିକେଟ୍ ପାଖାପାଖି ୧୧୭ ଟଙ୍କା ସବୁଠାରୁ ମହଙ୍ଗା ଟିକେଟ ୨୬୫ ଟଙ୍କାରେ ମିଳିପାରେ । ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ କମ୍ ଟଙ୍କାରେ ଟିକେଟ ମିଳୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ତେଣୁ ଶସ୍ତାରେ ଟିକେଟ ବୁକ୍ କରିବାକୁ ଚାହୁଁଥିବା ଦର୍ଶକଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ।