ନୂଆଦିଲ୍ଲୀ: ୟୁକ୍ରନେ ଉପରେ ରୁଷର ଆକ୍ରମଣ କାରଣରୁ ଚଳିତ ବର୍ଷ ଓ୍ଵିମ୍ବଲଡନ ଟେନିସ ଟୁର୍ଣ୍ଣାମେଣ୍ଟରେ ରୁଷ ଏବଂ ବେଲାରୁଷ ଖେଳାଳିଙ୍କ ଉପରେ ରୋକ୍ ଲଗାଯାଇଛି। ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ତାରକା ଟେନିସ ଖେଳାଳି ରାଫେଲ ନାଡାଲ ଏବଂ ନୋଭାକ ଜୋକୋଭିକ। ଦୁଇ ଦିଗଜ ଖେଳାଳି ରବିବାର କହିଛନ୍ତି, ଏମିତି ପଦକ୍ଷେପ ନେଇ ଓ୍ଵିମ୍ବଲଡନ ସଠିକ୍ ନିଷ୍ପତ୍ତି ନେଇ ନାହିଁ। ଦୁଇ ଖେଳାଳି ସଂପ୍ରତି ମାଦ୍ରିଦ ଓପନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।
ରେକର୍ଡ ୨୧ଥର ଗ୍ରାଣ୍ଡସ୍ଲାମ ବିଜେତା ନାଡାଲ କହିଛନ୍ତି, ରୁଷର ଆମ ସାଥୀ ଟେନିସ ଖେଳାଳିଙ୍କ ପ୍ରତି ଅବିଚାର କରାଯାଉଛି। ଯୁଦ୍ଧରେ ବର୍ତ୍ତମାନ ଯାହା କିଛି ହେଉଛି ସେଥିରେ ସେମାନଙ୍କର କୌଣସି ଭୂମିକା ନାହିଁ। ସେମାନଙ୍କ ପାଇଁ ମୁଁ ବହୁତ ଦୁଃଖିତ। ଓ୍ଵିମ୍ବଲଡନ ଆୟୋଜକ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ମଧ୍ୟ ରୁଷ ଖେଳାଳିଙ୍କ ଉପରେ ରୋକ୍ ଲଗାଇବାକୁ ବାଧ୍ୟ କରି ନାହାନ୍ତି। ଆଗାମୀ କିଛି ସପ୍ତାହରେ କଣ ହେଉଛି ଏବଂ ଖେଳାଳି ଏହି ପ୍ରସଙ୍ଗରେ କେମିତି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବା ବାକି ରହିଲା।
ଏଟିପି ଏବଂ ଡବ୍ଲ୍ୟୁଟିଏ ଟେନିସ ଟୁର ମଧ୍ୟ ଅଲ ଇଂଲଣ୍ଡ କ୍ଲବର ଏହି ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି। ଓ୍ଵିମ୍ବଲଣ୍ଡନ ଜୁନ ୨୭ରୁ ଆରମ୍ଭ ହେଉଛି। ଓ୍ଵିମ୍ବଲଡନର କଟକଣା କାରଣରୁ ରୁଷର ଯେଉଁ ଖେଳାଳି ଏଥିରେ ସାମିଲ୍ ହୋଇ ପାରିବେ ନାହିଁ ସେମାନଙ୍କ ମଧ୍ୟରେ ଅଛନ୍ତି ଡିଫେଣ୍ଡିଂ ୟୁଏସ ଓପନ ଚାମ୍ପିଅନ ଡାନିଲ ମେଦଭେଦେଭ, ଆନ୍ଦ୍ରେ ରୁବଲେଭ ଏବଂ ଫ୍ରେଞ୍ଚ ଓପନ ଉପ ବିଜେତା ଅନାସ୍ତାସିଆ ପାଭଲୁଚେନକୋଭା। ଏହି ସବୁ ଖେଳାଳି ହେଉଛନ୍ତି ରୁଷର। ସେହି ପରି ବେଲାରୁଷର ଭିକ୍ଟୋରିଆ ଅଞ୍ଜାରେକା ମଧ୍ୟ ଓ୍ଵିମ୍ବଲଡନରେ ଭାଗ ନେଇ ପାରିବେ ନାହିଁ। ବେଲାରୁଷ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ସମର୍ଥନ କରିଛି।
ଜୋକୋଭିକ କହିଛନ୍ତି, ଆପଣଙ୍କୁ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ନଦେବା ବହୁତ ନିରାଶ କରିଥାଏ। ମୁଁ ଓ୍ଵିମ୍ବଲଡନର ଏହି ନିଷ୍ପତ୍ତିକୁ ସମର୍ଥନ କରୁ ନାହିଁ। ଏମିତି ନିଷ୍ପତ୍ତି ଉଚିତ୍ ନୁହେଁ ଏବଂ ଠିକ୍ ନୁହେଁ ବୋଲି ଜୋକୋଭିକ୍ କହିଛନ୍ତି।