ନୂଆଦିଲ୍ଲୀ,୨୯ା୫: ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ସମ୍ପ୍ରତି ପାକିସ୍ତାନ ଗୁଳିମାଡ଼ରେ ପ୍ରଭାବିତ ସାଧାରଣ ନାଗରିକଙ୍କ ପାଇଁ ରିଲିଫ୍ ଏବଂ ପୁନର୍ବାସ ପ୍ୟାକେଜ୍ ଦାବି କରାଯାଇଛି। ରାହୁଲ ଗାନ୍ଧୀ ସମ୍ପ୍ରତି ପୁଞ୍ଚ ଗସ୍ତ କରିଥିଲେ, ଯେଉଁଠାରେ ସେ ପ୍ରଭାବିତ ପରିବାରଙ୍କୁ ଭେଟି ସେମାନଙ୍କ ପରିସ୍ଥିତିର ସମୀକ୍ଷା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠିରେ ରାହୁଲ କହିଛନ୍ତି, ମୁଁ ସମ୍ପ୍ରତି ପୁଞ୍ଚ ଗସ୍ତ କରିଥିଲି, ଯେଉଁଠାରେ ପାକିସ୍ତାନ ଗୁଳିମାଡ଼ରେ ୪ ଶିଶୁ ସମେତ ୧୪ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା ଏବଂ ଡଜନ ଡଜନ ଲୋକ ଗୁରୁତର ହୋଇଥିଲେ। ଏହି ଅବାଧ ଆକ୍ରମଣ ସାଧାରଣ ନାଗରିକ ଅଞ୍ଚଳରେ ବ୍ୟାପକ ଧ୍ୱଂସ ଘଟାଇଛି।
ସେ ଲେଖିଛନ୍ତି, ଶହ ଶହ ଘର, ଦୋକାନ, ସ୍କୁଲ ଏବଂ ଧାର୍ମିକ ସ୍ଥଳ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ନଷ୍ଟ ହୋଇଯାଇଛି ଏବଂ ଅନେକ ପରିବାର ସେମାନଙ୍କର ବର୍ଷ ବର୍ଷର କଠିନ ପରିଶ୍ରମ ଏବଂ ଜୀବନର ସଞ୍ଚୟ ଗୋଟିଏ ଝଟକାରେ ହରାଇଛନ୍ତି।
ରାହୁଲ ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି ଯେ, ପୁଞ୍ଚ ଏବଂ ଅନ୍ୟାନ୍ୟ ସୀମାନ୍ତ ଅଞ୍ଚଳର ଲୋକମାନେ ଦଶନ୍ଧି ଧରି ଶାନ୍ତି ଏବଂ ଭାଇଚାରାରେ ରହି ଆସୁଛନ୍ତି। ସେ ଲେଖିଛନ୍ତି, ଆଜି ଯେତେବେଳେ ସେମାନେ ଏହି ଗଭୀର ସଙ୍କଟ ଦେଇ ଗତି କରୁଛନ୍ତି, ସେମାନଙ୍କର ଯନ୍ତ୍ରଣାକୁ ବୁଝିବା ଏବଂ ସେମାନଙ୍କ ଜୀବନକୁ ପୁନଃନିର୍ମାଣ କରିବା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ଦେବା ଆମର ମାନବୀୟ ଏବଂ ଜାତୀୟ କର୍ତ୍ତବ୍ୟ।