fbpx

ଆସୁଛି ଲଘୁଚାପ, ୧୭ରେ ଅବପାତ ରୂପ ନେବାର ସମ୍ଭାବନା; ୧୯ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ ଗତକାଲି ଦକ୍ଷିଣ ଆଣ୍ଡାମାନ ତତ୍‌ ସଲଗ୍ନ ଥାଇଲାଣ୍ଡ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଆଜି ସାମାନ୍ୟ ପଶ୍ଚିମ-ଉତ୍ତର ଓ ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି । ଏହାସହିତ ଜଡ଼ିତ ଘୂର୍ଣ୍ଣିବଳୟ ୫.୮ କିଲୋମିଟର୍‌ ପର୍ଯ୍ୟନ୍ତ ବ୍ୟାପିଛି ।

ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ- ଉତ୍ତର ଓ ପଶ୍ଚିମ ଦିଗରେ ଗତି କରିବ ଏବଂ ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ଆଣ୍ଡାମାନ ସାଗର ପହଞ୍ଚିଲା ବେଳକୁ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ୧୭ ତାରିଖ ବେଳକୁ ଏହା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅତିକ୍ରମ କରି ଯେତେବେଳେ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ପହଞ୍ଚିବ, ସେତେବେଳେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହା ପରେ ୧୮ ତାରିଖରେ ଏହା ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୭ରୁ ୧୯ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଏହି ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.