fbpx

ରାଜ୍ୟସଭା ନିର୍ବାଚନ: ୫୭ ସିଟ୍ ଉପରେ ନଜର, ବିଜେପି-କଂଗ୍ରେସକୁ ମିଳିବ କେତେ ସିଟ୍, ଜାଣନ୍ତୁ ପ୍ରତି ରାଜ୍ୟର ହିସାବ-ନିକାସ

ନୂଆଦିଲ୍ଲୀ: ରାଜ୍ୟସଭାର ୫୭ ସିଟ୍ ଉପରେ ଜୁନ ୧୦ରେ ନିର୍ବାଚନ ହେବାକୁ ଯାଉଛି। ମେ ୩୧ ହେଉଛି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ। ଶାସକ ଭାରତୀୟ ଜନତା ପାର୍ଟିର ୨୫ ସାଂସଦଙ୍କ କାର‌୍ୟ୍ୟକାଳ ସରୁଛି। ଏଥିରୁ କେବଳ ୨୨ ସିଟରେ ବିଜେପି ଫେରୁଥିବା ଦେଖିବାକୁ ମିଳୁଛି। ଉତ୍ତର ପ୍ରଦେଶରେ ସବୁଠୁ ଅଧିକ ୧୧ ସିଟ୍ ଉପରେ ନିର୍ବାଚନ ହେବ। ଏଠାରୁ ବିଜେପି ଖାତାକୁ ୭ ସିଟ୍ ଆସିବାକୁ ଯାଉଛି।
ଜାଣନ୍ତୁ କେଉଁ ରାଜ୍ୟ କାହାକୁ ମିଳିପାରେ କେତେ ସିଟ୍

ଉତ୍ତର ପ୍ରଦେଶ– ଏଠାରେ ୧୧ ସିଟ୍ ଉପରେ ନିର୍ବାଚନ ହେବ। ଏଥିରୁ ସାତୋଟି ସିଟ୍ ବିଜେପି ଖାତାକୁ ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ତିନି ସିଟ୍ ଜରିଆରେ ସମାଜବାଦୀ ପାର୍ଟି ମେଣ୍ଟର ପ୍ରାର୍ଥୀ ରାଜ୍ୟସଭାକୁ ଯିବେ। ଏଥିରେ କପିଲ୍ ସିବଲ ଏବଂ ଜୟନ୍ତ ଯାଦବଙ୍କ ନାମ ସାମିଲ୍। ବିଧାୟକଙ୍କ ସଂଖ୍ୟା କମ ଥିବାରୁ ଅନ୍ୟ ଗୋଟିଏ ସିଟ୍ ଉପରେ ଭୋଟିଂ ସ୍ଥିତି ଉପୁଜିପାରେ। ଉତ୍ତର ପ୍ରଦେଶରେ ଜଣେ ରାଜ୍ୟସଭା ସାଂସଦଙ୍କ ପାଇଁ ୩୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ।

ଉତ୍ତରାଖଣ୍ଡ– ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ରାଜ୍ୟସଭା ପାଇଁ ଗୋଟିଏ ସିଟ୍ ଉପରେ ନିର୍ବାଚନ ହେବ। ଏହି ସିଟ୍ ବିଜେପି ଖାତାକୁ ଯିବ। ଏଠାରେ ୩୬ ବିଧାୟକଙ୍କ ସମର୍ଥନ ଜରୁରୀ।

ପଞ୍ଜାବ– ବର୍ଡର ରାଜ୍ୟ ପଞ୍ଜାବରେ ରାଜ୍ୟସଭାର ଦୁଇଟି ସିଟ୍ ଉପରେ ନିର୍ବାଚନ ହେବ। ଏହି ଦୁଇଟି ଆସନ ଆମ୍ ଆଦମୀ ପାର୍ଟି ଖାତାକକୁ ଯିବ। ଏଠାରେ ୪୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡିଥାଏ।

ହରିୟାଣା– ହରିୟାଣାରେ ମଧ୍ୟ ରାଜ୍ୟସଭାର ଦୁଇଟି ସିଟ୍ ଖାଲି ପଡିଛି। ଏଠାରେ ୩୧ ବିଧାୟକଙ୍କ ସମର୍ଥନ ଜରୁରୀ। ବିଜେପି ଏବଂ କଂଗ୍ରେସ ଗୋଟିଏ ଲେଖାଏଁ ସିଟ୍ ଜିତି ପାରନ୍ତି। କଂଗ୍ରେସର ଅସନ୍ତୋଷକୁ ଦେଖିଲେ ଏଠାରେ ବିଜେପି ଖାତାକୁ ଦୁଇଟି ସିଟ୍ ଯାଇପାରେ।

ରାଜସ୍ଥାନ- ରାଜସ୍ଥାନରେ ରାଜ୍ୟସଭାର ମୋଟ୍ ୪ ସିଟ୍ ଖାଲି ପଡିଛି। ଏଠାରୁ ଦୁଇଟି ସିଟ୍ ସିଧାସଳଖ କଂଗ୍ରେସ ଖାତାକୁ ଚାଲିଯିବ। ଗୋଟିଏ ସିଟ୍ ବିଜେପି ଜିତିବ। ଏଠାରେ ଗୋଟିଏ ସିଟ୍ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଜରୁରୀ। ତେଣୁ ଚାରୋଟିରୁଗ ଗୋଟିଏ ସିଟ୍ ପାଇଁ ଭୋଟିଂ ସ୍ଥିତି ଉପୁଜିପାରେ।
ମଧ୍ୟ ପ୍ରଦେଶ- ଏଠାରୋ ଗୋଟିଏ ସିଟ୍ ପାଇଁ ୭୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ମଧ୍ୟ ପ୍ରଦେଶରେ ତିନୋଟି ସିଟ୍ ଉପରେ ନିର୍ବାଚନ ହେବ। ଏଥିରୁ ଦୁଇଟି ବିଜେପି ଏବଂ କଂଗ୍ରେସ ଗୋଟିଏ ସିଟ୍ ଜିତି ପାରନ୍ତି।

ମହାରାଷ୍ଟ୍ର– ଏହି ରାଜ୍ୟରେ ଛଅଟି ସିଟ୍ ଉପରେ ନିର୍ବାଚନ ହେବ। ରାଜ୍ୟସଭାର ଗୋଟିଏ ସିଟ୍ ପାଇଁ ଏଠାରେ ୪୨ ବିଧାୟକଙ୍କ ସମର୍ଥନ ଦରକାର। ମହାରାଷ୍ଟ୍ରରେ ତିନି ସିଟ୍ ମହାରାଷ୍ଟ୍ର ବିକାଶ ଅଘାଡି ଖାତାକୁ ଯାଇପାରେ। ଦୁଇଟି ଆସନରେ ବିଜେପି ଜିତିପାରେ। ଏହା ବ୍ୟତୀତ ଗୋଟିଏ ସିଟ୍ ପାଇଁ ଭୋଟିଂ ହୋଇପାରେ।

କର୍ଣ୍ଣାଟକ– ବିଜେପି ଶାସିତ କର୍ଣ୍ଣାଟକରେ ଚାରୋଟି ସିଟ୍ ଉପରେ ରାଜ୍ୟସଭା ନିର୍ବାଚନ ହେବ। ଏଥିରୁ ଦୁଇଟି ବିଜେପି ଏବଂ ଗୋଟିଏ କଂଗ୍ରେସ ଖାତାକୁ ଯାଇପାରେ। ଚତୁର୍ଥ ସିଟ୍ ପାଇଁ ପେଞ୍ଚ ସ୍ଥିତି ଉପୁଜିଛି।

ତାମିଲନାଡୁ– ଏଠାରେ ରାଜ୍ୟସଭାର ଛଅ ସିଟ୍ ପାଇଁ ନିର୍ବାଚନ ହେବ। ତାମିଲନାଡୁରେ ଗୋଟିଏ ସିଟ୍ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଜରୁରୀ। ରାଜ୍ୟରେ ଡିଏମକେ-କଂଗ୍ରେସ ମେଣ୍ଟ ୪ ସିଟ୍ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସକୁ ଡିଏମକେ ନିଜ ଖାତାରୁ ଗୋଟିଏ ସିଟ୍ ଦେବ। ବାକି ଦୁଇଟି ସିଟ୍ ବିରୋଧୀ ଖାତାକୁ ଯାଇପାରେ।

ତେଲଙ୍ଗାନା- ତେଲଙ୍ଗାନାରେ କେବଳ ଦୁଇଟି ସିଟ୍ ଉପରେ ନିର୍ବାଚନ ହେବ। ଦୁଇଟି ସିଟ୍ ଟିଆରଏସ ଜିତିପାରେ।
ଆନ୍ଧ୍ର ପ୍ରଦେଶ- ଏଠାରେ ମଧ୍ୟ ଦୁଇଟି ସିଟ୍ ଶାସକ ଓ୍ଵାଇଏସଆର କଂଗ୍ରେସ ଖାତାକୁ ଯିବ। ରାଜ୍ୟରେ ଗୋଟିଏ ସିଟ୍ ପାଇଁ ୩୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ଓଡିଶା- ଓଡିଶାରେ ତିନୋଟି ରାଜ୍ୟସଭା ସିଟ୍ ଉପରେ ନିର୍ବାଚନ ହେବ। ତେବେ ଶାସକ ଦଳ ସମସ୍ତ ତିନୋଟି ସିଟ୍ ଜିତିପାରେ। ଏଠାରେ ଗୋଟିଏ ସିଟ୍ ପାଇଁ ୩୮ ବିଧାୟକଙ୍କ ସମର୍ଥନ ଜରୁରୀ।

ଛତିଶଗଡ– ଶାସକ କଂଗ୍ରେସ ଏଠାରେ ଦୁଇଟି ରାଜ୍ୟସଭା ସିଟ୍ କବଜା କରିପାରେ। ରାଜ୍ୟରେ ୩୧ ବିଧାୟକଙ୍କ ସମର୍ଥନ ଜରୁରୀ।
ବିହାର- ନୀତିଶ କୁମାରଙ୍କ ନେତୃତ୍ଵାଧୀନ ବିହାରରେ ରାଜ୍ୟସଭାର ପାଞ୍ଚ ସିଟ୍ ଉପରେ ନିର୍ବାଚନ ହେବାକୁ ଯାଉଛି। ଏଥିରୁ ତିନୋଟି ସିଟ୍ ବିଜେପି-ଜେଡିୟୁ ଖାତାକୁ ଯାଇପାରେ। ବାକି ଦୁଇଟି ଆରଜେଡି ଜିତିପାରେ। ଏଠାରେ ଗୋଟିଏ ସିଟ୍ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡିଥାଏ।

ଝାଡଖଣ୍ଡ– ଏଠାରେ ରାଜ୍ୟସଭାର ଦୁଇଟି ସିଟ୍ ଉପରେ ନିର୍ବାଚନ ହେବ। ଗୋଟିଏ ଜେଏମଏମ ଏବଂ ଗୋଟିଏ ସିଟ୍ ବିଜେପି ଜିତିପାରେ। ଝାଡଖଣ୍ଡରେ ଗୋଟିଏ ସିଟ୍ ପାଇଁ ୨୭ ବିଧାୟକଙ୍କ ସମର୍ଥନ ଦରକାର ପଡିଥାଏ।

 

 

 

Get real time updates directly on you device, subscribe now.