୫ଟି ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ: ଗ୍ରାହକଙ୍କ ପାଇଁ ଜରୁରୀ ଖବର

ନୂଆଦିଲ୍ଲୀ: ବ୍ୟାଙ୍କିଂ ନିୟମ ଉଲ୍ଲଂଘନ କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ନିକଟରେ କିଛି ବ୍ୟାଙ୍କ ଉପରେ ଆରବିଆଇ ଆକ୍ସନ ନେଇଥିବା ବେଳେ ପୁଣି ୫ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେଣୁ ଏଭଳି ସ୍ଥିତିରେ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକର ଗ୍ରାହକମାନେ ଏନେଇ ଆଲର୍ଟ ହେବା ଆବଶ୍ୟକ ।

ସୂଚନା ମୁତାବକ, ନିୟମ ଉଲ୍ଲଂଘନ କାରଣରୁ ପ।।ଞ୍ଚଟି ସମବାୟ ବ୍ୟାଙ୍କ ଉପରେ ଆରବିଆଇ ଲକ୍ଷାଧିକ ଟଙ୍କାର ଜରିମାନା ଲାଗୁ କରିଛି । ସେହି ବ୍ୟାଙ୍କଗୁଡ଼ିକ ହେଉଛି ଇନ୍ଦାପୁର ସମବାୟ ବ୍ୟାଙ୍କ ଲିମିଟେଡ, ଦି ପାଟନ ସହରୀ ସମବାୟ ବ୍ୟାଙ୍କ, ପୁଣେ ମର୍ଚାଣ୍ଟସ ସମବାୟ ବ୍ୟାଙ୍କ ଲିମିଟେଡ, ଜନକଲ୍ୟାଣ ସମବାୟ ବ୍ୟାଙ୍କ ଲିମିଟେଡ ଓ ପୁଣେ ନଗର ନିଗମ ସର୍ଭାଣ୍ଟସ ସମବାୟ ସହରୀ ବ୍ୟାଙ୍କ ଲିମିଟେଡ । ଅଲଗା ଅଲଗା କାରଣରୁ ଏହି ସବୁ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଛି ।

ଇନ୍ଦାପୁର ଓ ପୁଣେ ବ୍ୟାଙ୍କ ଉପରେ ଆରବିଆଇ ପକ୍ଷରୁ ୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ଡିପୋଜିଟ ଆକାଉଣ୍ଟ ଓ ସର୍ବନିମ୍ନ ବାଲାନ୍ସ ବଜାୟ ନ ରଖିବା ନିୟମରେ ଅବହେଳା କାରଣରୁ ଏହି ପଦକ୍ଷେପ ନିଆଯାଇଛି । ସେହିପରି କ୍ରେଡିଟ ସୂଚନା ନିୟମ ଉଲ୍ଲଂଘନ କାରଣରୁ ମୁମ୍ବାଇ ସ୍ଥିତ ଜନକଲ୍ୟାଣୀ ବ୍ୟାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ଆରବିଆଇର ନିୟମରେ ଖିଲାପୀ କରିଥିବାରୁ ଦି ପାଟନ ଅର୍ବାନ ବ୍ୟାଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିବା ବେଳେ ଡିପୋଜିଟ ଖାତାର ସବିଶେଷ ତଥ୍ୟ ନ ରଖିବା କାରଣରୁ ପୁଣେ ମର୍ଚାଣ୍ଟସ ବ୍ୟାଙ୍କ ଉପରେ ୧ ଲକ୍ଷର ଜରିମାନା ଲାଗୁ କରାଯାଇଛି । ନିଷ୍କ୍ରିୟ ଖାତାର ସଠିକ୍ ତଥ୍ୟ ନ ରଖିବା କାରଣରୁ ପୁଣେ ନଗର ନିଗମ ସର୍ଭାଣ୍ଟସ ବ୍ୟାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ତେବେ ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।