କୋଲକାତା,୨୩ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିନ୍ଦୂର ପ୍ରସଙ୍ଗ ଏବଂ ପାକିସ୍ତାନ ସହିତ ଉତ୍ତେଜନା ବିଷୟରେ ଦେଶବାସୀଙ୍କୁ ଅବଗତ କରିବା ପାଇଁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କେନ୍ଦ୍ରକୁ ନିବେଦନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶର ସାର୍ବଭୌମତ୍ୱ ରକ୍ଷା ଏବଂ ଜାତୀୟ ସ୍ୱାର୍ଥ ପାଇଁ କେନ୍ଦ୍ର ଯେକୌଣସି ନିଷ୍ପତ୍ତି ନେବ, ତୃଣମୂଳ କଂଗ୍ରେସ ସର୍ବଦା ତାଙ୍କ ସହିତ ରହିବ।
ମୁଖ୍ୟମନ୍ତ୍ରୀ ଅପରେସନ ସିନ୍ଦୂର ଏବଂ ଆତଙ୍କବାଦ ମୁକାବିଲା ପାଇଁ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ବିଶ୍ୱକୁ ଅବଗତ କରିବା ପାଇଁ ଏକ ବହୁପକ୍ଷୀୟ ପ୍ରତିନିଧିମଣ୍ଡଳ ପଠାଇବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।
ଶୁକ୍ରବାର, ମମତା ସୋସିଆଲ ସାଇଟ୍ X ରେ ଲେଖିଛନ୍ତି, ‘ଆତଙ୍କବାଦ ବିରୋଧରେ ବିଶ୍ୱ ସମ୍ପ୍ରଦାୟ ସହିତ ଯୋଗାଯୋଗ କରିବା ପାଇଁ ସର୍ବଦଳୀୟ ପ୍ରତିନିଧିମଣ୍ଡଳ ବିଭିନ୍ନ ଦେଶକୁ ଯାଉଛନ୍ତି। ମୁଁ ଏହା ଦେଖି ଖୁସି। ମୁଁ ସର୍ବଦା କହିଛି ଯେ ଦେଶ ଏବଂ ଆମର ସାର୍ବଭୌମତ୍ୱର ସୁରକ୍ଷା ପାଇଁ କେନ୍ଦ୍ର ଯେକୌଣସି ପଦକ୍ଷେପ ନେଉ, ତୃଣମୂଳ ତା ସହିତ ରହିବ।’
ସେ କହିଛନ୍ତି, ପ୍ରତିନିଧିମଣ୍ଡଳର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପରେ ମୁଁ କେନ୍ଦ୍ରକୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନିବେଦନ କରୁଛି, କାରଣ ମୁଁ ବିଶ୍ୱାସ କରେ ଯେ, ଦେଶର ଜନସାଧାରଣଙ୍କୁ ସାମ୍ପ୍ରତିକ ଉତ୍ତେଜନା ଏବଂ ବର୍ତ୍ତମାନର ପରିସ୍ଥିତି ବିଷୟରେ ପ୍ରଥମେ ଜାଣିବାର ଅଧିକାର ଅଛି।
କହିରଖୁଛୁ ଯେ, ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର କଠୋର ପଦକ୍ଷେପ ନେଇଥିଲେ। ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ଆକ୍ରମଣ କରି ଅନେକ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ଯଦିଓ ଭାରତ ସ୍ପଷ୍ଟ କରିଥିଲା ଯେ, କେବଳ ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।
ତଥାପି ଭାରତର ଅପରେସନ୍ ସିନ୍ଦୂର ପରେ, ପାକିସ୍ତାନ ସୀମାରେ ବିନା ପ୍ରରୋଚନାରେ ଗୁଳିଚାଳନା ଆରମ୍ଭ କରିଥିଲା। କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଭାରତୀୟ ସେନା ପ୍ରତ୍ୟେକ ଆକ୍ରମଣକୁ ବିଫଳ କରିଥିଲା। ୧୦ ମେ’ରେ ପାକିସ୍ତାନୀ ସେନାର ଡିଜିଏମଓ ଭାରତର ଡିଜିଏମଓଙ୍କୁ ଫୋନ୍ କରିଥିଲେ ଏବଂ ଉଭୟ ଦେଶ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ।