fbpx

‘ଧର୍ମର ଅଧିକାରଠୁ ଉପରେ ରହିଛି ବଞ୍ଚିବାର ଅଧିକାର, କାଉଡି ଯାତ୍ରାକୁ ଅନୁମତି ଦେବା ଉପରେ ପୁନର୍ବିଚାର କରାଯାଉ’

ନୂଆଦିଲ୍ଲୀ : ଧର୍ମର ଅଧିକାରଠୁ ଉପରେ ରହିଛି ବଞ୍ଚିବାର ଅଧିକାର। ଅନ୍ୟ ଭାବନା, ସେ ଧାର୍ମିକ ଭାବନା ମଧ୍ୟ ହୋଇ ଥାଉନା କାହିଁକି ଲୋକଙ୍କୁ ପ୍ରଥମେ ବଞ୍ଚିବାର ଅଧିକାର ରହିଛି। ଶୁକ୍ରବାର କାଉଡି ଯାତ୍ରା ପ୍ରସଙ୍ଗରେ ଏମିତି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ଅଦାଲତ। କରୋନା ମହାମାରୀ ସମୟରେ କାଉଡି ଯାତ୍ରାକୁ ନେଇ ସସପେନ୍ସ ଏ ପର୍ଯ୍ୟନ୍ତ ଜାରି ରହିଛି। ଶୁକ୍ରବାର ଉତ୍ତର ପ୍ରଦେଶ ସରକାର କାଉଡି ଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଛନ୍ତି। ସରକାର କହିଛନ୍ତି, ରାଜ୍ୟରେ କାଉଡି ଯାତ୍ରା ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇ ନାହିଁ। ସାଙ୍କେତିକ ଭାବେ କାଉଡି ଯାତ୍ରା ଜାରି ରହିବ। ଅନ୍ୟପଟେ ସର୍ବୋଚ୍ଚ ନ୍ୟାୟାଳୟ ସୀମିତ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ସହିତ ରାଜ୍ୟ ଭିତରେ କାଉଡି ଯାତ୍ରାର ଅନୁମତି ଦେବା ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ୟୁପି ସରକାରଙ୍କୁ କହିଛନ୍ତି। ଏଥିସହ କାଉଡି ଯାତ୍ରା ଉପରେ ସଂପୂର୍ଣ୍ଣ କଟକଣା ଲଗାଇବା ଉପରେ ବିଚାର କରାଯାଉ ବୋଲି ଅଦାଲତ କହିଛନ୍ତି।  ୟୁପି ସରକାରଙ୍କୁ ସୋମବାର ସୁଦ୍ଧା ଏହା ଉପରେ ଜବାବ ରଖିବାକୁ ପଡିବ।

ଲୋକଙ୍କ ଜୀବନ ସର୍ବୋପରି

ବିଚାରପତି ଆରଏଫ ନରିମମଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଖବରକାଗଜ ରିପୋର୍ଟ ଆଧାରରେ ଏହି ପ୍ରସଙ୍ଗରେ ନିଜ ଆଡୁ ହସ୍ତକ୍ଷେପ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଭାରତୀୟ ନାଗରିକଙ୍କ ସ୍ଵାସ୍ଥ୍ୟ ଓ ଜୀବନର ଅଧିକାର ସର୍ବୋପରି। ଅନ୍ୟ ସମସ୍ତ ଭାବନା ସେ ଧାର୍ମିକ ଭାବନା ହୋଇଥାଉ ନା କାହିଁକି, ଏସବୁ ମୂଳ ମୌଳିକ ଅଧିକାରର ଅଧିନରେ ରହିଛି। ଉତ୍ତର ପ୍ରଦେଶ ସରକାର ଆଜି ଶୁଣାଣି ବେଳେ କହିଛନ୍ତି ଯେ, କାଉଡି ଯାତ୍ରା ସାଙ୍କେତିକ ରହିବ ଏବଂ ଏଥିରେ କିଛି ଲୋକ ସାମିଲ ହେବେ। ସଲିସିଟର ଜେନେରାଲ ରୁଷାର ମେହଟ୍ଟା କହିଛନ୍ତି ଯେ, ରାଜ୍ୟ ସରକାର ଶ୍ରଦ୍ଧାଳୁଙ୍କ ପାଇଁ ଗଙ୍ଗାଜଳ ଯୋଗାଇ ଦେବାର ବ୍ୟବସ୍ଥା କରି ପାରିବେ।

ଅପରପକ୍ଷେ କେନ୍ଦ୍ର ସରକାର ଉଚ୍ଚତମ ନ୍ୟାୟାଳୟରେ କହିଛନ୍ତି ଯେ, କାଉଡି ଯାତ୍ରାକୁ ଉତ୍ତରାଖଣ୍ଡ ଯିବାର ଅନୁମତି ଦେବା ଉଚିତ୍ ନୁହେଁ। କିନ୍ତୁ ଗଙ୍ଗାଜଳ ଏମିତି ସ୍ଥାନରେ ଉପଲବ୍ଧ ହେବା ଉଚିତ୍, ଯଦ୍ଵାରା କାଉଡିଆମାନେ ନିକଟସ୍ଥ ଶିବ ମନ୍ଦିରରେ ପୂଜା କରି ପାରିବେ। ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ସରକାର ଚଳିତ ବର୍ଷ ମଧ୍ୟ କାଉଡି ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି। ହେଲେ ଉତ୍ତର ପ୍ରଦେଶ ସରକାର ଅନୁମତି ଦେବା ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଅସହମତ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.