ମୁମ୍ବାଇ: ଗତକାଲି IPLରେ ରାଜସ୍ଥାନକୁ ହରାଇ ପ୍ଲେଅଫର ନିକଟତର ହୋଇଛି ଦିଲ୍ଲୀ । କିନ୍ତୁ ଏହି ମ୍ୟାଚ ସମୟରେ ଦେଖିବାକୁ ମିଳିଥିଲା ଏକ ଅଜବ ଦୃଶ୍ୟ । IPL ସରିବା ପୂର୍ବରୁ ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଚିନ୍ତା କଲେଣି କ୍ରିକେଟପ୍ରେମୀ । ଜଣେ ପ୍ରଶଂସକ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ନିଜର ଏକ ଟିମ କରି ପୋଷ୍ଟରରେ ଦେଖାଇଥିଲେ । ଟି-୨୦ ବିଶ୍ୱକପ ପାଇଁ ବିସିସିଆଇ ଭାରତୀୟ ଟିମ ଚୟନ କରିବା ପୂର୍ବରୁ ସେ ଟିମ ପ୍ରସ୍ତୁତ କରି ସାରିଛନ୍ତି ।
୨୦୨୨ ଟି-୨୦ ବିଶ୍ୱକପକୁ ନଜରରେ ରଖି ଜଣେ କ୍ରିକେଟ ପ୍ରେମୀ ତାଙ୍କର ୧୫ ଜଣିଆ ଭାରତୀୟ ଟିମ ପ୍ରସ୍ତୁତ କରିଛନ୍ତି । ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ବାଛିଛନ୍ତି ଏହି ଯୁବକ । ତାଙ୍କର ଏହି ଦଳରେ ଶ୍ରେୟସ ଅୟର, ଇଶାନ କିଶାନ ଏବଂ ରବିନ୍ଦ୍ର ଜାଡେଜାଙ୍କ ସମେତ ଭୁବନେଶ୍ୱର କୁମାର, କୁଳଦୀପ ଯାଦବ ଏବଂ ଶାର୍ଦ୍ଦୁଳ ଠାକୁର ସ୍ଥାନ ପାଇ ନାହାନ୍ତି । ସେହିପରି ୧୪ ନମ୍ବରରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ତାଙ୍କ ଲିଷ୍ଟରେ ରହିଛନ୍ତି ଋଷଭ ପନ୍ତ । ସେପଟେ ରାହୁଲ ତେୱାତିଆ ଏବଂ ପ୍ରସିଦ୍ଧ କ୍ରୀଷ୍ଣା ଭଳି ଖେଳାଳିଙ୍କୁ ସେ ବିଶ୍ୱକପରେ ଦଳରେ ସ୍ଥାନ ଦେବା ଉଚିତ ବୋଲି ଭାବିଛନ୍ତି ।
ରୋହିତଙ୍କ ସହ ପାଳି କେ.ଏଲ ରାହୁଲ, ବିରାଟ କୋହଲିଙ୍କୁ ଟପ ଅର୍ଡର ଦାୟିତ୍ୱ ଦେଇଥିବା ବେଳେ ମଧ୍ୟକ୍ରମରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ଦଳର ୱିକେଟ କିପର ଏବଂ ଜଣେ ଫିନିଶର ଭାବରେ ଦିନେଶ କାର୍ତ୍ତିକଙ୍କୁ ସେ ଦଳରେ ସାମିଲ କରିଛନ୍ତି । ତେବେ ରବିଚନ୍ଦ୍ରନ ଅଶ୍ୱୀନ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଉପରେ ସ୍ପିନ ଆଟାକ ଭାର ଦେଇଛନ୍ତି ଏହି ଯୁବକ ଜଣକ । ସେହିପରି ମହମ୍ମଦ ସାମୀ, ଜଶପ୍ରୀତ ବୁମରାହ ଏବଂ ଦୀପକ ଚହରଙ୍କୁ ସେ ଦେଇଛନ୍ତି ପେସ ଆଟାକ ଦାୟିତ୍ୱ । ଏହାବ୍ୟତୀତ ମହମ୍ମଦ ସିରାଜ, ରାହୁଲ ତେୱାତିଆ, ଋଷଭ ପନ୍ତ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ବାଛିଛନ୍ତି ।
ପ୍ରଶଂସକଙ୍କ ଟିମ:
ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱୀନ, ଦୀପକ ଚହର, ମହମ୍ମଦ ସାମୀ, ଜଶପ୍ରୀତ ବୁମରାହ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ରାହୁଲ ତେୱାତିଆ, ଋଷଭ ପନ୍ତ ଏବଂ ପ୍ରସିଦ୍ଧ କ୍ରୀଷ୍ଣା ।