ରାଜଧାନୀରେ ଯୁବକଙ୍କ ଉପରେ ମାଡ଼ିଗଲା ହାଇଓ୍ବା, ଚାଲିଗଲା ଶ୍ରମିକଙ୍କ ଜୀବନ
ଭୁବନେଶ୍ଵର ସ୍ଥିତ କଳିଙ୍ଗ ବିହାର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଭୁବନେଶ୍ବର: ସକାଳୁ ସକାଳୁ ରାଜଧାନୀରେ ଦୁର୍ଘଟଣା । ଭୁବନେଶ୍ଵର ସ୍ଥିତ କଳିଙ୍ଗ ବିହାର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଜଣେ ବ୍ୟକ୍ତିଙ୍କ ଉପରେ ହାଇଓ୍ବା ମାଡିଯାଇଛି । ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
ମୃତକ ଗଞ୍ଜାମ ଅଞ୍ଚଳର ଭଞ୍ଜ ନାୟକ ବୋଲି ଜଣାପଡିଛି । ଖବର ଅନୁସାରେ, ଭଞ୍ଜ ଭୁବନେଶ୍ବରରେ ରହି ମଜୁରୀ କାମ କରୁଥିଲେ । ସକାଳୁ ଉଠି ମଜୁରୀ କଲେ ତାଙ୍କ ପେଟ ପୋଷୁଥିଲା । ଆଜି ସକାଳୁ କାମକୁ ଯାଉଥିବା ବେଳେ କଳିଙ୍ଗ ବିହାର ଛକରେ ଖୋର୍ଦ୍ଧା ପଟୁ ଦ୍ରୁତଗତିରେ ଆସୁଥିବା ହାଇୱା ସ୍ପିଡ୍ ବ୍ରେକର ଡେଇଁ ଭଞ୍ଜ ନାୟକଙ୍କ ଉପରେ ମାଡ଼ିଯାଇଥିଲା ।
ଫଳରେ ଭଞ୍ଜଙ୍କ ଜୀବନ ଚାଲିଯାଇଥିଲା । ବେପରୁଆ ଗାଡିଚାଳନା ପାଇଁ ଏହା ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି । ଖବର ପାଇ ମୃତକଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀର ମୃତଦେହ ନିକଟରେ ପହଞ୍ଚିଥିଲେ । ମୃତ ସ୍ବାମୀକୁ ଦେଖି ବୁକୁଫଟା ଚିତ୍କାର କରୁଥିବା ଦେଖାଯାଇଥିଲା ।
ଭଞ୍ଜ ସକାଳୁ ମଜୁରୀ ପାଇଁ ବାହାରିଥିବା ବେଳେ ରାସ୍ତାରେ ଟିଫିନ ଏବଂ ଚପଲ ମଧ୍ୟ ପଡିଥିବାର ଦେଖାଯାଇଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ସହାୟତା ପାଇଁ ଦାବି କରିଛନ୍ତି ।