ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନନ୍ଦନକାନନରେ ରୋପୱେ ଉଦଘାଟନ କଲେ ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରୋପୱେ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ । ଆସନ୍ତାକାଲି ଠାରୁ ପର୍ଯ୍ୟଟକମାନେ ରୋପୱେରେ ବସିପାରିବେ ବୋଲି କୁହାଯାଇଛି । ନନ୍ଦନକାନନରେ ରୋପୱେ ବ୍ୟବସ୍ଥା ଆରମ୍ଭ ହେବା ଫଳରେ ପର୍ଯ୍ୟଟକଙ୍କ ବର୍ଷ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି ।

ନନ୍ଦନକାନନରେ ଆଜି ରୋପୱେ ଉଦଘାଟନ ହେବା ନେଇ ଗତକାଲି ସୂଚନା ମିଳିଥିଲା । ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ଶ୍ରୀ ଅମାତ ଏହାକୁ ଉଦଘାଟନ କରିବା ପରେ ୧୮ ତାରିଖରୁ ପର୍ଯ୍ୟଟକମାନେ ରୋପୱେର ମଜା ନେଇ ପାରିବେ ବୋଲି କୁହାଯାଇଥିଲା । ତେବେ ଦୀର୍ଘ ବର୍ଷ ପରେ ନନ୍ଦନକାନନରେ ରୋପୱେ ଆରମ୍ଭ ହେବା ପରେ ଏନେଇ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପର୍ଯ୍ୟଟକମାନେ ରୋପୱେରେ ବସି ବଟାନିକାଲ ଗାର୍ଡେନର ମନଲୋଭା ପରିବେଶ, କାଞ୍ଜିଆ ହ୍ରଦର ଜଳରାଶି ଓ ବୋଟିଂର ଦୃଶ୍ୟକୁ ଉପଭୋଗ କରିପାରିବେ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ନନ୍ଦନକାନନରେ ରୋପୱେ ବ୍ୟବସ୍ଥା ରହିଥିଲେ ହେଁ ତାହା ଦୀର୍ଘ ୧୨ ବର୍ଷ ଧରି ବନ୍ଦ ହୋଇ ରହିଥିଲା । ୧୯୯୪ ମସିହାରେ ରୋପୱେ ଆରମ୍ଭ ହୋଇଥିଲା ଓ ୨୦୧୦-୧୧ରେ ଦୁଇଥର ଦୁର୍ଘଟଣା ହେବାରୁ ତାହାକୁ ବନ୍ଦ କରିଦିଆଯାଇଥିଲା । ତେବେ ଏହା ଗତ ଏପ୍ରିଲ ମାସରେ ପୁଣି ଥରେ ଆରମ୍ଭ ହେବା ନେଇ ଖବର ଆସିଥିଲା । ସେଥିପାଇଁ ରୋପୱେ ବ୍ୟବସ୍ଥାକୁ ଆଧୁନୀକିକରଣ କରାଯିବା ସହିତ ତାହାକୁ ଚଳାଇବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ଠିକା ସଂସ୍ଥା ଦାୟିତ୍ୱରେ ଥିବା ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ୫ ବର୍ଷ ପର୍ଯ୍ୟନ୍ତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରିବେ ଓ ପରବର୍ତ୍ତୀ ସମମୟରେ ପର୍ଯ୍ୟାୟକ୍ରମେ ୫ରୁ ୧୦ ଓ ୧୫ ବର୍ଷ ପର୍ଯ୍ୟନ୍ତ ତାହାକୁ ବୃଦ୍ଧି କରାଯିବ ବୋଲି କୁହାଯାଇଥିଲା ।