fbpx

OCAର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ପୁତ୍ର ସତ୍ୟବ୍ରତଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ପୁତ୍ର ସତ୍ୟବ୍ରତ ବେହେରାଙ୍କ ପରଲୋକ ଘଟିଛି । ଆଶର୍ବାଦଙ୍କ ଜ୍ୟେଷ୍ଠ ପୁତ୍ର ସତ୍ୟବ୍ରତ ପୂର୍ବରୁ ଓସିଏର ଯୁଗ୍ମ ସମ୍ପାଦକ ଓ କଟକ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ଥିଲେ । ସତ୍ୟବ୍ରତ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ । ୪ ଦିନ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସତ୍ୟବ୍ରତ ଜଣେ କ୍ରୀଡ଼ା ସଂଗଠକ ଭାବେ ବେଶ୍ ପରିଚିତ ଥିଲେ । ନିକଟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଶେଷରେ ସତ୍ୟବ୍ରତ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଦୀର୍ଘ ଏକ ବର୍ଷ ଧରି ସତ୍ୟବ୍ରତ ସ୍ନାୟୁ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ବ୍ରେନ ଷ୍ଟ୍ରୋକରେ ପୀଡ଼ିତ ହୋଇ ସେ ସିଡିଏର ଏକ ଘରୋଇ ହସ୍ପିଟାଲର ଆଇସିୟୁ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ସତ୍ୟବ୍ରତଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ତାଙ୍କର ମୃତ୍ୟୁରେ କଟକ ମହାନଗର ନିଗମ (ସିଏମସି) ମେୟର ସୁବାଷ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ କ୍ରୀଡ଼ା କ୍ଲବର କର୍ମକର୍ତ୍ତା, କର୍ପୋରେଟର, କ୍ରିକେଟରମାନେ ଗଭୀର ଶୋକବ୍ୟକ୍ତ କରିଥିଲେ । ଏଥିସହିତ ଓସିଏ, ଓଡ଼ିଶା ଅଲିମ୍ପିକ୍ସ ସଂଘ, ଓଡ଼ିଶା ଫୁଟବଲ ସଂଘ ପକ୍ଷରୁ ମଧ୍ୟ ସତ୍ୟବ୍ରତଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

Get real time updates directly on you device, subscribe now.