fbpx

Pegasus Spyware ମାମଲା; ତଦନ୍ତ କମିଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପେଗାସସ ସ୍ପାଏୱେୟାର ମାମଲାରେ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମନ୍ନା ତଦନ୍ତ କମିଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଏକ ସପ୍ତାହ ମଧ୍ୟରେ ସର୍ବୋଚ୍ଚ କୋର୍ଟ ଏହି କମିଟିର ସଦସ୍ୟଙ୍କ ନାମ ଘୋଷଣା କରିବେ ବୋଲି ରମନ୍ନା କହିଛନ୍ତି । କୋର୍ଟ ଏକ ତଦନ୍ତ କମିଟି ଗଠନ କରିବାକୁ ଚାହୁଁଥିବା ବେଳେ କିଛି ଅଭିଜ୍ଞ ଲୋକଙ୍କୁ ବ୍ୟକ୍ତିଗତ କାରଣରୁ ବାଦ ଦେବା ପାଇଁ ରମନ୍ନା ମତ ରଖିଛନ୍ତି ।
ଏହି କମିଟି ଗଠନ ପାଇଁ କିଛି ବୈଷୟିକ ବିଶେଷଜ୍ଞ ସର୍ବୋଚ୍ଚ କୋର୍ଟଙ୍କ ନଜରରେ ରହିଥିବା କହିଛନ୍ତି କୋର୍ଟ । ଏହି ସ୍ପାଏ ୱେୟାରକୁ ଦେଶର ସାମ୍ବାଦିକ ଏବଂ ରାଜନେତାଙ୍କ ଫୋନରେ ଗୁଇନ୍ଦାଗିରି ପାଇଁ ବ୍ୟବହାର କରାଯାଉଥିଲା କି ନାହିଁ ତାହା ସ୍ପଷ୍ଟ କରିବା ପାଇଁ ସ୍ୱାଧୀନ ଭାବରେ କାମ କରୁଥିବା କିଛି ବିଶେଷଜ୍ଞଙ୍କୁ ଏହି କମିଟିରେ ସାମିଲ କରାଯିବ ବୋଲି ସିଜେଆଇ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ସୁପ୍ରିମକୋର୍ଟ ସମାନ ବିଷୟରେ ଏକ ଭିନ୍ନ ମତ ପୋଷଣ କରିଥିଲେ । ଆଇନତଃ ପ୍ରକ୍ରିୟାରେ ଏହି ସବୁ ଗୁଇନ୍ଦାଗିରି କରାଯାଇଛି କି ନାହିଁ ବୋଲି ଉତ୍ତର ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ କହିଥିଲେ ସର୍ବୋଚ୍ଚ କୋର୍ଟ । ତେବେ ଜାତୀୟ ସୁରକ୍ଷା କାରଣରୁ ଏହା ଉପରେ ମତ ରଖିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯିବା ପରେ କମିଟି ଗଠନ ପାଇଁ ସର୍ବୋଚ୍ଚ କୋର୍ଟ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.