fbpx

ଶୀଘ୍ର ଖୋଲିବ ସ୍କୁଲ, ଆଡଭାଇଜରି ଜାରି କରିବାକୁ କେନ୍ଦ୍ରର ପ୍ରସ୍ତୁତି, ମାଗିଲେ ଏକ୍ସପର୍ଟଙ୍କ ରାୟ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଦେଶରେ ଯେମିତି ପ୍ରଭାବ ପକାଇଥିଲା ତା ତୂଳନାରେ ତୃତୀୟ ଲହରର ପ୍ରଭାବ ବହୁତ କମ । ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିଲେ ସୁଦ୍ଧା ମୃତକଙ୍କ ସଂଖ୍ୟା ନଗଣ୍ୟ ରହିଛି । କୋଭିଡ୍ ଆକ୍ରାନ୍ତ ଏହି ଲହରରେ ସେତେଟା ଗୁରୁତର ମଧ୍ୟ ହୋଇ ନାହାନ୍ତି । ମୋଟ୍ ଉପରେ କହିବାକୁ ଗଲେ ଜନତା ପୂର୍ବପରି କରୋନାକୁ ଆଉ ଭୟ କରୁ ନାହାନ୍ତି । ତେଣୁ ଦେଶର ବିଭିନ୍ନ ଭାଗରେ ସ୍କୁଲ ଖୋଲାଯିବା ନେଇ ଦାବି ଉଠିଲାଣି । କାରଣ କରୋନା ମହାମାରୀ ଯୋଗୁଁ ଶିକ୍ଷା କ୍ଷେତ୍ର ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଏହି କ୍ରମରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସ୍କୁଲ ଖୋଲାଯିବା ଉପରେ ବିଚାର କରୁଛନ୍ତି । ଏ ନେଇ ମୋଡେଲ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ସରକାରୀ ସୂତ୍ର ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍କୁଲ ଖୋଲାଯିବା ନେଇ କଣ କଣ ବିକଳ୍ପ ରହିଛି ତାରି ଉପରେ ରିପୋର୍ଟ ଦେବାକୁ ବିଶେଷଜ୍ଞଙ୍କୁ କହିଛନ୍ତି । ସ୍କୁଲ ଖୋଲିବା ନେଇ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯାଇପାରେ ।

କରୋନାର ତୃତୀୟ ଲହରର ପ୍ରକୋପ ଧିମା ପଡିବା ପରେ ବର୍ତ୍ତମାନ ଅଭିଭାବକଙ୍କ ପକ୍ଷରୁ ସ୍କୁଲ ଖୋଲାଯିବା ନେଇ ସରକାରଙ୍କ ଉପରେ ଚାପ ବଢିବାରେ ଲାଗିଛି । କରୋନା କାରଣରୁ ପିଲାଙ୍କ ଭବିଷ୍ୟତ ଯେମିତି ଅନ୍ଧକାର ନହେଉ ତାକୁ ନେଇ ଅଭିଭାବକ ଚିନ୍ତିତ । ଆଉ କେତେ ଦିନ କରୋନାକୁ ଭୟ କରି ସ୍କୁଲ ବନ୍ଦ କରାଯିବ ବୋଲି ଅଭିଭାବକ ପ୍ରଶ୍ନ କରୁଛନ୍ତି ।

କିଛି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ନିଜ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଏବଂ କଲେଜ୍ ଖୋଲିବାକୁ ଘୋଷଣା କରି ସାରିଛନ୍ତି । ୧୫ ରୁ ୧୮ ବର୍ଷ ବୟସର ଯେଉଁ ଛାତ୍ର-ଛାତ୍ରୀ କରୋନାର ଗୋଟିଏ ଡୋଜ୍ ନେଇ ସାରିଛନ୍ତି ସେମାନେ ଶ୍ରେଣୀଗୃହରେ ଉପସ୍ଥିତ ରହି ପାରିବେ । ୧୮ ବର୍ଷ ବୟସରୁ ଉଦ୍ଧ୍ୱର୍ ଏବଂ ସମସ୍ତ ସ୍କୁଲ୍ ଷ୍ଟାଫ ଟିକାର ଡବଲ୍ ଡୋଜ୍ ନେଇଥିବା ଜରୁରୀ । ଦେଶର ସବୁଠୁ ଗୁରୁତର ଭାବେ କରୋନା ପ୍ରଭାବିତ ମହାରାଷ୍ଟ୍ର ସମସ୍ତ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକକ ଘୋଷଣା କରି ସାରିଛି । ହରିୟାଣା ଏବଂ ଚଣ୍ଡିଗଡ ପ୍ରଶାସନ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବା ଘୋଷଣା କରି ସାରିଛନ୍ତି ।

Get real time updates directly on you device, subscribe now.