fbpx

SEBIର ବଡ଼ ପଦକ୍ଷେପ, ଏଣିକି ଗୁଜବ ଉପରେ ଲାଗିବ ରୋକ୍ ଏବଂ ନିବେଶକଙ୍କୁ ମିଳିବ ସୁରକ୍ଷା, ୧୦୦ଟି ଶୀର୍ଷ କମ୍ପାନୀ ଉପରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ମାର୍କେଟ ରେଗୁଲେଟର ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଇଣ୍ଡିଆ(SEBI) ନିବେଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି । ବିଭିନ୍ନ ପ୍ରକାର ଗୁଜବ ଉପରେ ରୋକ୍ ଲଗାଇବା ପାଇଁ SEBI ମାର୍କେଟରେ ଲିଷ୍ଟେଡ୍ ଶୀର୍ଷ ୧୦୦ଟି କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଜୁନ୍ ୧ ତାରିଖରୁ ଏହି ନିୟମ ଲାଗୁ ହୋଇଛି ।

SEBIର ନୂତନ ନିୟମ ଅନୁଯାୟୀ ଶୀର୍ଷ ୧୦୦ଟି କମ୍ପାନୀ ଗୁଡ଼ିକୁ ଗଣମାଧ୍ୟମରେ ରିପୋର୍ଟ ହୋଇଥିବା କୌଣସି ଘଟଣା କିମ୍ବା ସୂଚନାର ପୁଷ୍ଟି, ଖଣ୍ଡନ କିମ୍ବା ସ୍ୱଷ୍ଟିକରଣ ଦେବାକୁ ପଡ଼ିବ ଯାହା ମାର୍କେଟ କିମ୍ବା ନିବେଶକଙ୍କ ଉପରେ ପ୍ରଭାବ ପକାଇପାରେ । ଏହି କମ୍ପାନୀଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ଏହି କାର୍ଯ୍ୟ କରିବାକୁ ପଡ଼ିବ । କହିରଖୁଛୁ ମାର୍କେଟ କ୍ୟାପ୍ ଆଧାରରେ ୧୦୦ଟି କମ୍ପାନୀର ଚୟନ କରାଯାଇଛି । ଆସନ୍ତା ଡିସେମ୍ବର ୧ରୁ ଏହି ନିୟମ ଶୀର୍ଷ ୨୫୦ କମ୍ପାନୀ ଉପରେ ଲାଗୁ ହେବ । SEBIର ଏହି ଫ୍ରେମୱାର୍କ ନିବେଶକମାନଙ୍କୁ ଗୁଜବ କାରଣରୁ ମାର୍କେଟର ପରିବର୍ତ୍ତନରୁ ସୁରକ୍ଷା ପ୍ରଦାନ କରିଥାଏ । ଏହା କମ୍ପାନୀଗୁଡ଼ିକୁ ନିବେଶକଙ୍କ ପ୍ରତି ଅଧିକ ଉତ୍ତରଦାୟୀ କରାଇଥାଏ । ମାର୍କେଟ ଏକ୍ସପର୍ଟଙ୍କ ଅନୁଯାୟୀ ଏହି ପଦକ୍ଷେପ ଦ୍ୱାରା ସୂଚନା ଲିକ୍ ହେବା ଉପରେ ରୋକ୍ ଲଗାଯାଇପାରିବ ଯାହା କମ୍ପାନୀର ଭାଲୁଏସନକୁ ପ୍ରଭାବିତ କରିପାରେ । ଷ୍ଟକ୍ ମାର୍କେଟରେ ଗୁଜବ ଶେୟାରର ମୂଲ୍ୟରେ ଅସ୍ଥିରତାର କାରଣ ହୋଇପାରେ । ଫଳରେ ଟ୍ରାନଜେକ୍ସନ ପ୍ରଭାବିତ ହୋଇଥାଏ ଏବଂ ନିବେଶକଙ୍କୁ କ୍ଷତି ସହିବାକୁ ପଡ଼ିପାରେ । ନୂତନ ଫ୍ରେମୱାର୍କ ଶେୟାର ବଜାରକୁ ଅଧିକ ପାରଦର୍ଶୀ ଏବଂ ନିରପେକ୍ଷ କରିବ । ଭାରତୀୟ ବଜାରରେ ଏହା କେବଳ ଘରୋଇ ନୁହେଁ ବରଂ ବିଦେଶୀ ନିବେଶକଙ୍କ ବିଶ୍ୱାସକୁ ସୁଦୃଢ଼ କରିବ । କମ୍ପାନୀ ଦ୍ୱାରା ବାଏବ୍ୟାକ୍‌, କ୍ୟୁଆଇପି, ପ୍ରିଫରେନ୍ସିଆଲ ଆଲଟମେଣ୍ଟ ଏବଂ ଅଧିଗ୍ରହଣ ଭଳି ନିଷ୍ପତ୍ତି ନେବା ସମୟରେ ଗୁଜବ ଉପରେ ଲଗାମ ଲଗାଯାଇପାରିବ ।

Get real time updates directly on you device, subscribe now.