fbpx

ଶ୍ରୀମନ୍ଦିର ପରିଚାଳନା ପାଇଁ ୨୪୮.୫୧ କୋଟିର ବଜେଟ୍ ଅନୁମୋଦ, ଗୁରୁକୁଳ ଓ ସେବାୟତଙ୍କ ବାସଗୃହ ନିର୍ମାଣ ହେବ

Advertisement

ପୁରୀ, (ଭାସ୍କର ନ୍ୟୁଜ୍‌): ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଅନୁମୋଦିତ ହୋଇଛି । ବଜେଟ୍‌ର ପରିମାଣ ୨୪୮.୫୧ କୋଟି ବୋଲି ସୂଚନା ଦିଆଯାଇଛି । ବଜେଟ୍‌ରେ ମହାପ୍ରଭୁଙ୍କ ବିଭିନ୍ନ ଜାନିଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା ଓ କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ଖର୍ଚ୍ଚ ସାମିଲ ରହିଛି । ସେହିପରି ହୁଣ୍ଡିରୁ ଆଦାୟ, ବିଭିନ୍ନ କର୍ପସ ଫଣ୍ଡ୍‌ର ସୁଧ, ସରକାରୀ ଅନୁଦାନ ଓ ଜମି ଅଧିଗ୍ରହଣ ସହାୟତାଆଦିକୁ ଆୟ ଭାବେ ଗ୍ରହଣ କରାଯାଇଛି । ଏତଦ୍‌ବ୍ୟତୀତ ପୁରୀରେ ସେବାୟତମାନଙ୍କ କଲ୍ୟାଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା ।ଗୁରୁକୁଳ ପ୍ରତିଷ୍ଠା ନେଇ ଭୂମି ପୁତ୍ର ଫାଉଣ୍ଡେସନ ସହ ଖୁବ୍‌ଶୀଘ୍ର ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବାସଗୃହ ଯୋଜନାରେ ସେବାୟତମାନଙ୍କ ପାଇଁ ଘର ନିର୍ମାଣ ନିମନ୍ତେ ହରଚଣ୍ଡୀସାହି ଓ କାଳିକାଦେବୀ ସାହିରେ ଜମି ଚିହ୍ନଟ ସରିଛି । ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ । ଗୁରୁକୁଳ ନିର୍ମାଣ ପାଇଁ ୬ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଅନୁଦାନ ମିଳିଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଥିଲେ ।

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଶେଷକରି ଆଗାମୀ ଚନ୍ଦନଯାତ୍ରା ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହଦେବ କହିଥିଲେ ଯେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି ।

ପୁରୀ ଓ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ କରାଯାଇଛି । ତେଣୁ ମନ୍ଦିର ସୌନ୍ଦର୍ଯ୍ୟକରଣ କାମରେ କୌଣସି ପ୍ରକାର ବାଧା ସୃଷ୍ଟିକରିବା ଉଚିତ୍‌ ନୁହେଁ । ରାଜ୍ୟ ସରକାର ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ କାମ ଯେପରି ସୁରୁଖୁରୁରେ ସମ୍ପାଦନ ହୁଏ ସେନେଇ ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଛି । ଯୋଜନା କି ରି ସୁରୁଖୁରୁରେ ଆଗେଇ ଚାଲିବ ସେନେଇ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ ମତ ଦେବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଖୁବ୍‌ କମ୍‌ ସମୟ ମଧ୍ୟରେ କାର୍ଯ୍ୟ ଶେଷ ହେବା ଉଚିତ୍‌ ବୋଲି କହିଥିଲେ । କୌଣସି ଜଣେ ବ୍ୟକ୍ତି କିମ୍ବା ଦଳ ଅଥବା ସରକାରଙ୍କର ଏହା କାମ ନୁହେଁ । ଏହି ଧାମକୁ ବିଶ୍ୱ ସ୍ତରରେ ସ୍ଥାପନ କରିବାପାଇଁ ଜରୁରି ଆବଶ୍ୟକତା ରହିଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହାର ପ୍ରଭାବ ପଡ଼ିବ । ଏଥିପାଇଁ ସମସ୍ତେ ମିଳିମିଶି ଆଲୋଚନା କରିବା ଆବଶ୍ୟକ । ଯଦି କୌଣସି ବିବାଦ ରହୁଛି ତେବେ ଏହାର ସମାଧାନର ରାସ୍ତା ବାହାର କରିବା ଆବଶ୍ୟକ ବୋଲି ଗଜପତି କହିଥିଲେ ।

Get real time updates directly on you device, subscribe now.