fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଆଜି ସ୍ଥିତି ଅନୁଧ୍ୟାନ କରିବ ଏଏସ୍‌ଆଇ ଟିମ୍ ,ମେ’ ୭ରେ ହାଇକୋର୍ଟରେ ଦାଖଲ କରାଯିବ ସତ୍ୟପାଠ

Advertisement

ପୁରୀ, (ଭାସ୍କର ନ୍ୟୁଜ୍‌) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । ଏଏସ୍‌ଆଇର ବିନା ଅନୁମତିରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ନେଇ ବିରୋଧୀ ଅଭିଯୋଗ କରୁଥିବା ବେଳେ ଏହାକୁ ନେଇ ରାଜନୈତିକ ଝଡ଼ ଓ ତୁମ୍ବି ତୋଫାନ ଲାଗି ରହିଛି । ତେବେ ଏ କ୍ଷେତ୍ରରେ ଏଏସ୍‌ଆଇର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଏଏସ୍‌ଆଇର ଅନୁମତି ମିଳିନଥିବାବେଳେ କାମ କିପରି ଆଗେଇ ଚାଲିଛି ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଏବେ ଏଏସ୍‌ଆଇର ନିଦ ଭାଙ୍ଗିଛି । ରବିବାର ଏଏସ୍‌ଆଇର ଏକ ଟିମ୍‌ ପ୍ରକଳ୍ପ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ, ପ୍ରତ୍ନତତ୍ତ୍ୱବିଭାଗର ଅଧୀକ୍ଷକ ଅରୁଣ ମଳ୍ଲିକ ଓ ସହକାରୀ ଅଧୀକ୍ଷକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ପରଖିବେ । ସେମାନଙ୍କ ସହ ଓବିସିସି ଅଧୀକ୍ଷଣ ଯନ୍ତ୍ରୀ ଓ ଟାଟା ପ୍ରୋଜେକ୍ଟର ଅଧିକାରୀ ମଧ୍ୟ ସାମିଲ ରହିବେ ।

ସେଠାରେ ପ୍ରକୃତରେ କ’ଣ ନିର୍ମାଣ ଚାଲିଛି ସେ ନେଇ ଏଏସ୍‌ଆଇ ଅନୁଧ୍ୟାନ କରିବ । ଏଥିସହ ନିର୍ମାଣଧୀନ ପ୍ରକଳ୍ପର ଗଭୀରତା ଓ ପ୍ରସ୍ତାବିତ ଉଚ୍ଚତା ମଧ୍ୟ ଅନୁଧ୍ୟାନ ହେବ । ଅନୁଧ୍ୟାନ ପରେ ସେଗୁଡ଼ିକ ରେକର୍ଡଭୁକ୍ତ କରାଯିବ । ଏହାପରେ ମଇ ୭ରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯିବ । ମଇ ୧୬ରେ ଏହାର ଶୁଣାଣି ହାଇକୋର୍ଟରେ ହେବାର ଥିଲା । ହେଲେ କାମ ଚାଲୁଥିବାରୁ ତ୍ୱରିତ ଶୁଣାଣି ପାଇଁ ଆବେଦନକାରୀ ନିବେଦନ କରିଥିଲେ । ତେଣୁ ମଇ ୯କୁ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଏହା ପୂର୍ବରୁ ମଇ ୭ରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହା ପୂର୍ବରୁ ପ୍ରକଳ୍ପ ଅନୁଧ୍ୟାନ ପାଇଁ ଏଏସ୍‌ଆଇ ଟିମ୍‌ ଆସୁଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ମେଘନାଦ ପାଚେରୀର ୧୦୦ ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟକୁନେଇ କଥା ଲୋକସଭା ପର୍ଯ୍ୟନ୍ତ ଯାଇଥିଲା । ଏପରିକି କିଛି ଦିନ ପୂର୍ବେ ଭୁବନେଶ୍ୱର ସାଂସଦ ଅପରାଜିତ ଷଢ଼ଙ୍ଗୀ ପୁରୀ ଶ୍ରୀମନ୍ଦିର ଆସୁଥିବାବେଳେ ବାଟରେ ତାଙ୍କୁ ପୋଲିସ ଅଟକାଇଥିଲା । ଏହାକୁ ନେଇ ରାଜନୀତି ସରଗରମ ହୋଇଉଠିଥିବାବେଳେ ଶେଷରେ ଶ୍ରୀମତୀ ଷଢ଼ଙ୍ଗୀ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ଏଏସ୍‌ଆଇ ଜାଣତରେ ପୁରୀ ଶ୍ରୀମନ୍ଦିର ନିକଟରେ କାମ ଚାଲୁଛି କିନ୍ତୁ ଏଏସ୍‌ଆଇ ଏନେଇ ଅନୁମତି ଦେଇନାହିଁ । ପୁରୀ ଶ୍ରୀମନ୍ଦିର ପରିସରରେ ଏଏସ୍‌ଆଇ କାର୍ଯ୍ୟାଳୟ ଥିବାବେଳେ ସେଠାରେ ବସୁଥିବା ବିଭାଗୀୟ ମୁଖ୍ୟ ନିରବ ରହିଛନ୍ତି । ଏନେଇ ପୁରୀ ବିଧାୟକ ଜୟନ୍ତ ଷଢ଼ଙ୍ଗୀ ଏଏସ୍‌ଆଇ ଉପରେ ପ୍ରବଳ ବର୍ଷିଥିଲେ ।

Get real time updates directly on you device, subscribe now.