fbpx

୨୪ ବର୍ଷ ଧରି ବନ୍ଦ ଥିଲା ଲିଫ୍ଟ; ଖୋଲୁଖୋଲୁ ମିଳିଲା ନରକଙ୍କାଳ

ନୂଆଦିଲ୍ଲୀ: ୨୪ ବର୍ଷ ଧରି ବନ୍ଦ ରହିଥିବା ଏକ ଅବ୍ୟବହୃତ ଲିଫ୍ଟରୁ ଉଦ୍ଧାର ହୋଇଛି ମୃତ ଦେହ । ଉତ୍ତରପ୍ରଦେଶର ବସ୍ତି ଜିଲ୍ଲା ଅନ୍ତର୍ଗତ କାଇଲି ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । କାଇଲିର ଓପିଇସି ହସ୍ପିଟାଲର ଅବ୍ୟବହୃତ ଲିଫ୍ଟରୁ ଏହି ନରକଙ୍କାଳ ଉଦ୍ଧାର କରାଯାଇଛି । ଏହି ନରକଙ୍କାଳର ରହସ୍ୟ ଭେଦ କରିବା ପାଇଁ ଡିଏନଏ ପରୀକ୍ଷଣ କରାଯାଉଛି ।
୫୦୦ ଶଯ୍ୟା ବିଶିଷ୍ଟ ଓପିଇସି ହସ୍ପିଟାଲ ୧୯୯୧ରେ ନିର୍ମାଣ ଆରମ୍ଭ ହୁଏ । ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ ଏହି ଲିଫ୍ଟଟି କାମ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକରିବା ବନ୍ଦ କରିଦିଏ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଲିଫ୍ଟଟି ୨୪ ବର୍ଷ ହେବ ବନ୍ଦ ପଡିଥିବାରୁ ମୃତ୍ୟୁର କାରଣ ଅନୁମାନ ଲଗାଇବା କଷ୍ଟକର । ଏହା ସହିତ ୨୪ ବର୍ଷ ତଳୁ ନିଖୋଜ ଥିବା ସମସ୍ତଙ୍କ ରିପୋର୍ଟ ଉପରେ ନଜର ରଖିଛି ପୋଲିସ । ୨୪ ପୋଲିସ ଷ୍ଟେସନକୁ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଖୁବ ଶୀଘ୍ର ସୂଚନା ମିଳିବାର ଆଶା କରାଯାଉଛି । ଲିଫ୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଛି କି କେହି ହତ୍ୟା କରି ଏଠାରେ ପକାଇଛି ଏହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ବସ୍ତି ଏସିପି ଦୀପେନ୍ଦ୍ର ନାଥ ଚୌଧୁରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.