fbpx

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଥିଲା । ଶ୍ରୀରାମ ମନ୍ଦିରକୁ ନେଇ କୌଣସି ଡିପ୍ ଫେକ୍ ଭିଡ଼ିଓ, ମିଥ୍ୟା ଖବର ପ୍ରସାରଣ ଇତ୍ୟାଦିକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପୋଲିସ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରାୟ ୧୦୦ଟି ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା । ସୂଚନାରୁ ପ୍ରକାଶ ଏଥିପାଇଁ ଗୃହ ମନ୍ତ୍ରଣାଳୟ, ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ସିଇଆରଟି-ଆଇଏନ୍ ଏବଂ ଗୁଇନ୍ଦା ବ୍ୟୁରୋର ଅଧିକାରୀଙ୍କୁ ନେଇ ଗଠିତ ସାଇବର ବିଶେଷଜ୍ଞଙ୍କ ଏକ ଦଳକୁ ଅଯୋଧ୍ୟା ପଠାଯାଇଥିଲା । ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା ଏବଂ ମିଥ୍ୟ ଖବର ପ୍ରସାରଣକୁ ନେଇ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଗୃହ ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ ସାମ୍ପ୍ରତିକ କାର୍ୟ୍ୟକଳାପ ସୂଚାଉଛି ଯେ ବିଶ୍ୱ ଜିହାଦୀ ଗୋଷ୍ଠୀ ଏବଂ ପାକିସ୍ତାନୀ ସଙ୍ଗଠନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜି ଓ ପୁଲିସ କମିଶନରଙ୍କୁ ଜାନୁଆରି ୧୯ରେ ଗୃହ ମନ୍ତ୍ରଣାଳୟର ଜଣେ ଉପସଚିବ ପାହ୍ୟାର ଅଧିକାରୀ ଚିଠି ଲେଖିଥିଲେ । ଚିଠିରେ ଲେଖା ହୋଇଛି, ଅଯୋଧ୍ୟାରେ ରାମମନ୍ଦିର ଉଦ୍‌ଘାଟନ ସମାରୋହ ପୂର୍ବରୁ ସନ୍ଦେହଜନକ କାର୍ୟ୍ୟକଳାପ କିମ୍ବା ସାମ୍ପ୍ରଦାୟିକ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଥିବାରୁ ସାଇବର ସ୍ପେସ୍/ସୋସିଆଲ୍ ମିଡିଆର ଗତିବିଧି ଉପରେ ନିରନ୍ତର ନଜର ରଖାଯିବା ଦରକାର। ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୁଲିସ ମୁତୟନ କରିବାକୁ ମଧ୍ୟ ଗୃହ ମନ୍ତ୍ରାଳୟ ପୁଲିସ ମୁଖ୍ୟମାନଙ୍କୁ କହିଛି। ମୁସଲମାନ ଅଧ୍ୟୁଷିତ ଅଞ୍ଚଳ ଦେଇ ଶୋଭାଯାତ୍ରା ସମୟରେ ଅଧିକ ସତର୍କ ରହିବା ସହ ପର୍ୟ୍ୟାପ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା କରିବାକୁ ସମସ୍ତ ପୁଲିସ ମୁଖ୍ୟଙ୍କୁ କୁହାଯାଇଛି।

 

Get real time updates directly on you device, subscribe now.