ପୁଅ ବାହାଘରରେ ଆଖିବୁଜିଲା ବାପା, ବରଯାତ୍ରୀ ପ୍ରୋସେସନ ଚାଲିଥିବା ବେଳେ ହଠାତ୍‌ ରାସ୍ତାରେ ଟଳିପଡିଲେ…

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ଗତକାଲି ସୁଦୂର ଦିଲ୍ଲୀରୁ ନିଜ ପୁଅ ଅଙ୍କିତର ବାହାଘର ପାଇଁ ଦିଲ୍ଲୀ ନିବାସୀ ମହେନ୍ଦ୍ର ରହଲା ନାମକ ଜଣେ ବ୍ୟକ୍ତି ମାଲକାନଗିରି ଆସିଥଲେ । ପୁଅ ଅଙ୍କିତ ମାଲକାନଗିରିର ଜଣେ ଯୁବତୀଙ୍କୁ ପୂର୍ବରୁ ଫେସବୁକରେ ଭଲପାଇ ପରେ ବିବାହ ପାଇଁ ସ୍ଥିର ହୋଇଥିଲା । ଗତକାଲି ରାତିରେ ମାଲକାନଗିରି ସହରର ଏକ ହୋଟେଲ ସମ୍ମୁଖରୁ ବରଯାତ୍ରୀଙ୍କ ଶୋଭାଯାତ୍ରା ବାହାରି ଲାଠିଆଗୁଡା ଗାଁ ପର୍ଯ୍ୟନ୍ତ ଯିବାର ବ୍ୟବସ୍ଥା ରହିଥିଲା । ହୋଟେଲରୁ ମାତ୍ର କେଇ ମିଟର ଦୂର ବାହାଘର ପ୍ରୋସେସନ ଚାଲିଥିବା ବେଳେ ହଠାତ୍‌ ରାସ୍ତା ଉପରେ ବରର ପିତା ରାସ୍ତାରେ ପଡି ମୃତ୍ୟୁ ଘଟିଥିଲା ।

ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନାର ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ । ମୁନିସିପାଲିଟି ଚେୟାରମ୍ୟାନ ମନୋଜ କୁମାର ବାରିକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇବା ସହ ବରପକ୍ଷକୁ ଯଥା ସମ୍ଭବ ସାହର୍ଯ୍ୟ କରିଥିଲେ । ବରପିତାଙ୍କ ମୃତ୍ୟୁ ଘଟଣା ପରେ ବାହାଘର ବନ୍ଦ ରହିଥିଲା । ବରଯାତ୍ରୀ ତଥା ଦେଖେଣାହାରୀଙ୍କ କହିବା ଅନୁସାରେ ଡିଜେ ଶବ୍ଦରେ ହିଁ ବରପିତାଙ୍କ ମୃତ୍ୟୁ ଘଟିଛି । ଆଗରୁ ବରପିତାଙ୍କ ହୃଦ୍‌ଘାତ ସମସ୍ୟା ରହିଥିବା ବେଳେ ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଡିଜେ ଶବ୍ଦ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।