fbpx

ମୂର୍ତ୍ତି ବିବାଦ: ପୂଜା କମିଟିକୁ ବଡ ଝଟକା, ଉଚ୍ଚତା ବୃଦ୍ଧି ଆବେଦନ ହାଇକୋର୍ଟରେ ଖାରଜ

କଟକ : ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କମିଟିଗୁଡିକୁ ଲାଗିଛି ବଡ ଝଟକା । ମୂର୍ତ୍ତି ଉଚ୍ଚତା ବୃ୍ଦ୍ଧି କରାଯାଇ ପାରିବ ନାହିଁ ବୋଲି ଶୁକ୍ରବାର ଶୁଣାଣିରେ କହିଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ ମାମଲାରେ ଦାଖଲ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ବାଲୁବଜାର ପୂଜା କମିଟି କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ମୂର୍ତ୍ତି ଉଚ୍ଚତା ବୃଦ୍ଧି ପାଇଁ କମିଟି ପକ୍ଷରୁ ଆବେଦନ କରାଯାଇଥିଲା । ମହାମାରୀ ସମୟରେ ସରକାରୀ ନିର୍ଦ୍ଦେଶାନାମାରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରି ଦେଇଛନ୍ତି । ଏବେ ଦେଖିବା ବାକି ରହିଲା ଦୁର୍ଗା ପୂଜା କମିଟି ଆଗାମୀ କଣ ପଦକ୍ଷେପ ନେଉଛନ୍ତି ।

ସୂଚନାଯୋଗ୍ୟ, ମୂର୍ତ୍ତି ବିବାଦ ନେଇ ଶାନ୍ତି କମିଟି ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଅନେକ ବୈଠକ ବସିଛି । ହେଲେ ବିବାଦର କୌଣସି ସମାଧାନ ହୋଇ ପାରିନଥିଲା । ପୂଜା କମିଟି ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବା ନିଜ ଜିଦରେ ଅଡି ରହିଥିବା ବେଳେ ପ୍ରଶାସନ ନିଜର ନିଷ୍ପତ୍ତିରୁ ପଛଘୁଞ୍ଚା ଦେଇନଥିଲା । କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରଖାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଥିଲା । ପ୍ରଶାସନର ଏହି ନିଷ୍ପତ୍ତିକୁ କଟକର ଶାନ୍ତି କମିଟି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ହେଲେ ସରକାର କମିଟିଙ୍କ ପ୍ରସ୍ତାବ ମାନିବାକୁ ନାରାଜ । ଏହା ପରେ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି କମିଟି ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ହାଇକୋର୍ଟ ରାଜ୍ୟ ସରକାରଙ୍କ କରୋନା ମହାମାରୀ ସମୟରେ ଜାରି ନିର୍ଦ୍ଦେଶନାମାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ।

ଉଲ୍ଲେଖନୀୟ ମୂର୍ତ୍ତି ବିବାଦ ପ୍ରସଙ୍ଗକୁ ନେଇ ମଧ୍ୟ ରାଜନୀତି ଜୋର ଧରିଥିଲା । କଟକ ସାଂସଦ ଭର୍ତ୍ତୁହରି ମହତାବ ମଧ୍ୟ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରଖାଯିବା ନେଇ ସରକାରଙ୍କ ଗାଇଡଲାଇନକୁ କଟାକ୍ଷ କରିଥିଲେ । ସେ କହିଥିଲେ କଣ ୪ ଫୁଟ୍ ରଖିଦେଲେ କରୋନା ଡରିଯିବ । ମୂର୍ତ୍ତିର ଉଚ୍ଚତା ଆଉ ଦୁଇ ଫୁଟ୍ କି ଅଢେଇ ଫୁଟ୍ ବୃଦ୍ଧି କରିଥିଲେ କଣ କରୋନା ବଢି ଯାଇଥାନ୍ତା ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ତାଙ୍କର ଏହି ଟିପ୍ପଣୀକୁ ଦଳରେ ନାପସନ୍ଦ କରାଯାଇଥିଲା । ଏପରିକି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଐତିହାସିକ ଏବଂ ପରମ୍ପରାରର ସହର କଟକବାସୀଙ୍କ ଭାବ ବେଗକୁ ଦୃଷ୍ଟିରେ ରଖି ଦୁର୍ଗା ପୂଜା ପାଳିବାକୁ ଅନୁମତି ଦେବା ଉଚିତ୍ ବୋଲି ସେ କହିଥିଲେ । ଲୋକଙ୍କ ଧାର୍ମିକ ଭାବନା ପ୍ରତି ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ୍ ବୋଲି ସେ କହିଥିଲେ । ରାଜ୍ୟ ସରକାରଙ୍କ ୪ ଫୁଟ୍ ଉଚ୍ଚତା ନିଷ୍ପତ୍ତିକୁ ବିରୋଧୀ ଦଳ ମଧ୍ୟ ସମାଲୋଚନା କରିଥିଲେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯଦି ମୂର୍ତ୍ତି ଉଚ୍ଚତା ବୃଦ୍ଧି କରାଯାଏ ତେବେ ମାଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ ଜମିବ । ସ୍ୱତପ୍ରବୃତଃ ଭାବେ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ପାଇଁ ରୁଣ୍ଡ ହେବେ । ଏମିତି ହେଲେ ଗହଳି ବଢିବ ଏବଂ ଏଥିରେ କରୋନା ପୁଣି ଥରେ ମୁଣ୍ଡ ଟେକିବାର ସମ୍ଭାବନା ବଢିବାରେ ବୋଲି ବିଶେଷଜ୍ଞ କହିଛନ୍ତି । କେରଳରେ ଓନମ ପର୍ବରେ କରୋନା କଟକଣା କୋହଳ କରିବାରୁ ଏଠାରେ ପୁଣି ଥରେ କରୋନା ବିସ୍ଫୋରଣ ଘଟିଲା ବୋଲି ବିଶେଷଜ୍ଞ ଯୁକ୍ତି ବାଢିଛନ୍ତି । ତେଣୁ ମୂର୍ତ୍ତି ଉଚ୍ଚତା ୪ ଫୁଟ୍ ରଖାଯିବା ସରକାରଙ୍କ ନିଷ୍ପତ୍ତିକୁ ବିଶେଷଜ୍ଞ ସମର୍ଥନ କରିଛନ୍ତି ।

Get real time updates directly on you device, subscribe now.