fbpx

ସମସ୍ତ ମନ୍ତ୍ରଣାଳୟକୁ ପିଏମଓର କଡା ନିର୍ଦ୍ଦେଶ, ଆଇନ ତିଆରି ସମୟରେ ବିଦେଶୀ ପ୍ରଥା ଉପରେ ବିଚାର କରାଯାଉ

ନୂଆଦିଲ୍ଲୀ: ଦେଶରେ ଆଇନ ତିଆରି କରିବା ସମୟରେ ଗମ୍ଭୀରତାର ସହ ବିଚାର କରାଯାଉ ନାହିଁ। ଯେଉଁ କାରଣରୁ ଏଥିରେ ବାରମ୍ବାର ସଂଶୋଧନ କରିବାକୁ ପଡୁଛି। ଆଉ ଏହାକୁ ଦୃଢ ବିରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କାର‌୍ୟ୍ୟାଳୟ ଏହି ସମ୍ବନ୍ଧରେ ସମସ୍ତ ମନ୍ତ୍ରଣାଳୟକୁ ସର୍କୁଲାର ଜାରି କରି କଡା ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ଯେତେବେଳେ କୌଣସି ମନ୍ତ୍ରଣାଳୟ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରୁଛନ୍ତି ତେବେ ଏହାକୁ କ୍ୟାବିନେଟ୍ ନିକଟକୁ ପଠାଇବା ପୂର୍ବରୁ ସମସ୍ତ ଦିଗ ଉପରେ ଗମ୍ଭୀରତାର ସହ ବିଚାର କରନ୍ତୁ।

ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ସମସ୍ତ କ୍ୟାବିନେଟ୍ ନିୟମ ସମୟରେ ଏହା ଉପରେ ବିଚାର କରାଯିବା ଉଚିତ୍ ଯେ, ଉକ୍ତ ବିଷୟକୁ ନେଇ ବିଦେଶରେ କଣ ପ୍ରଥା ରହିଛି ଏବଂ ସେଠାକାର ନିୟମରେ କଣ ରହିଛି। ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିୟମ ତିଆରି କରାଯିବା ଉଚିତ୍। ପିଏମଓ ଏହା ମଧ୍ୟ କହିଛନ୍ତି, ଯେଉଁ ଡ୍ରାଫ୍ଟକୁ ମନ୍ତ୍ରଣାଳୟ ନିକଟକୁ ପଠାଯାଉଛି ତାର ଏକ କପି ପିଏମଓ ଏବଂ ସଚିବାଳୟକୁ ଅବଶ୍ୟ ପଠାଯାଉ।

କିଛି ମନ୍ତ୍ରଣାଳୟ ଡ୍ରାଫ୍ଟର କପି ପିଏମଓ ଏବଂ କ୍ୟାବିନେଟ୍ ସଚିବାଳୟକୁ ପଠାଉନଥିବା ଜଣା ପଡିଛି। ୨୦୧୫ରେ ଯେଉଁ ପ୍ରକ୍ରିୟା ଲାଗୁ କରାଯାଇଛି ତାର ପାଳନ କରାଯାଉ ନାହିଁ। ତେଣୁ ପିଏମଓ କଠୋର ନିର୍ଦ୍ଦେଶ ଦେଇ କହିଛନ୍ତି, ଡ୍ରାଫ୍ଟକୁ କ୍ୟାବିନେଟ୍ ସାମ୍ନାକୁ ଅଣାଯିବା ପୂର୍ବରୁ ଏହାର ସମସ୍ତ ଦିଗ ଉପରେ ବିଚାର କରାଯିବା ଏବଂ ଯାଞ୍ଚ କରାଯିବା ଉଚିତ୍। ଏହି ନିର୍ଦ୍ଧାରିତ ପ୍ରକ୍ରିୟାର ପାଳନ କରାଯାଇ ପ୍ରସ୍ତାବରେ ବିସଙ୍ଗତିକୁ ଦୂର କରାଯାଇ ପାରିବ ବୋଲି ପିଏମଓ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.